ତୁଳସୀ ପୂଜନ
ତୁଳସୀ ପୂଜନ


ତୁଳସୀ ରସିଆ ଗଳାମାଳିଆ ରେ
ତୁଳସୀ ପ୍ରିୟ ଠାକୁର
ତୁଳସୀ ପୂଜନ ଦିବସ ଆଜି ରେ
ଜାଣିଛୁ କି କଳାବର !
ତୁଳସୀ ର ମାଳ ତୁଳସୀ ସ୍ରିଙ୍ଗାର
ତୁଳସୀ ନେଇ ବ୍ୟଞ୍ଜନ
ତୁଳସୀକୁ ଛାଡ଼ି ପ୍ରସାଦ ହୁଏନି
ଏ ତୋ ବିଧି କଳାଧନ ।
ତୁଳସୀକୁ ପ୍ରିୟ କରି ଜଣାଉଛୁ
ତୁଳସୀ ର ମହାନତା
ପାଖେ ପାଖେ ତାକୁ ରଖିରେ କଳିଆ
ଗାଉ ତା ଗୌରବ ଗାଥା ।
ତୁଳସୀ ଗଛର ପତରେ ପତରେ
ଦେବତା ମାନଙ୍କ ବାସ
ତୁଳସୀ ଆମର ସଂସ୍କୃତି ଧାରାର
ଅଟଇ ଯେ ମହା ଯଶ ।
ଜୀବନ ଜୀଇଁବା ପାଦେ ପାଦେ ପରା
ତୁଳସୀ ଆମର ଲୋଡ଼ା
ତୁଳସୀ ନଥିଲେ ଘର ଘର ନୁହେଁ
ଘର ହେଉ ଯେତେ ବଡ଼ା ।
ତୁଳସୀ କହଇ ଆଧ୍ୟାତ୍ମର କଥା
କୁହଇ ବିଜ୍ଞାନ କଥା
ତୁଳସୀ ପ
ତର ବାସରେ ବାସରେ
ସଂସ୍କାରର କେତେ ବାର୍ତ୍ତା ।
ସକାଳ ସଂଜରେ ତୁଳସୀ ମୂଳରୁ
ସଂସ୍କୃତି ମହକ ଛୁଟେ
ତୁଳସୀ ଚଉରା ଚାହିଁ ଦେଉଥିଲେ
ପୁଣ୍ୟର ସୁମନ ଫୁଟେ |
ତୁଳସୀ ପୂଜନ ଆମର ସଂସ୍କୃତି
ପୁଣ୍ୟର ଗାଥା ସେ ଗାଏ
ପବିତ୍ର ଓଁ କାର ତୁଳସୀ ମୂଳରେ
ନିତି ଉଚ୍ଚାରିତ ହୁଏ l
ତୁଳସୀ ପୂଜନ ଦିବସେ କାଳିଆ
କରୁଛି ମୁହିଁ ଗୁହାରୀ
ଏ ଜଗତ ଭରୁ ତୁଳସୀ ମନ୍ତ୍ରରେ
ଭ୍ରାତୃତ୍ଵ ବସୁ ଆବୋରି ।
ମନର ବୀଣାରେ ଚେତନା ଭରୁରେ
ଆଧ୍ୟାତ୍ମର ମନ୍ତ୍ର ଶୁଭୁ
ସଂସ୍କାର ସ୍ରୋତରେ ମାନବିକତାର
ଉଦ୍ରେକ କରାଅ ପ୍ରଭୁ |
ଘରେ ଘରେ ହେଉ ତୁଳସୀ ପୂଜନ
ତୁଳସୀ ଉଣା ନ ହେଉ
ତୁଳସୀ ଆମର ଜୀବନ ପ୍ରବାହେ
ପବିତ୍ରତା ଭରି ଦେଉ ।