କହଇ ମନଆରେ ମୋ ବୋଲକର -୫
କହଇ ମନଆରେ ମୋ ବୋଲକର -୫
ଲକ୍ଷ୍ୟ ରଖିଣ ତୀର ଯୋଖିବୁ ଯେବେ,
ଲକ୍ଷ୍ୟ ଭେଦରେ ତୀର ଲାଗିବ ତେବେ ।
ଲୟତୁ ରଖ କୃଷ୍ଣ ଚରଣ ତଳେ,
ଲଭିବୁ ମୋକ୍ଷ ହରି ଶରଣ ଦେଲେ ।।୨୮। ।
ବିବାହ କଲୁ ସ୍ତିରୀ ସଙ୍ଗତେ ନେଇ,
ବହୁ କୁଟୁମ୍ବ କଲୁ ସଂସାରୀ ହୋଇ ।
ବୟସ ଗଡି କେଶ ଶୁକ୍ଳ ହୋଇଲା,
ବୟସ ପଥେ ହୁଡି ଦିନ ଗଡିଲା । । ୨୯।।
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ଚିତ୍ତ,
ଶକତି ଗତିଦାତା ସେ ନନ୍ଦସୁତ ।
ଶ୍ରୀକୃଷ୍ଣ ନାମ ଗୋଟି ସଂସାରେ ସାର,
ଶ୍ରୀକୃଷ୍ଣ ନାମ ନାବେ ହୋଇବୁ ପାର । ।୩୦। ।
ଷଡ଼ ରିପୁକୁ କାଢି ଦିଅ ହୃଦରୁ,
ଷଡ଼ ଐଶ୍ୱର୍ଯ୍ୟ ଭୋଗ ଫିଙ୍ଗ ଦୁରରୁ I
ଶୋକ
ତୁ କରନାହିଁ ହୋଇବୁ ପାରି,
ଶରଣ ପଶ ଯାଇ ସେହି ଶ୍ରୀହରି ।।୩୧। ।
ସଙ୍କଟ ହାରି ପ୍ରଭୁ ଶକତି ଦାତା,
ସଙ୍କଟୁ ଉଦ୍ଧାରନ୍ତି ହୋଇ ଶକତା ।
ଶରଣ ରକ୍ଷଣ ଦୀନ ଜନବନ୍ଧୁ ,
ସର୍ବାନ୍ତର୍ଯ୍ୟାମୀ ସ୍ଵାମୀ କରୁଣା ସିନ୍ଧୁ । ।୩୨। ।
ହରିଙ୍କ ନାମ ରସେ ରସରେ ମନ,
ହରି ଛେଦିବେ ନିଶ୍ଚେ ଭବ ବନ୍ଧନ ।
ହରି ହରତା ସେହି ଭାଗ୍ୟ ବିଧାତା,
ହରେ ଶ୍ରୀକୃଷ୍ଣ ନାମ ହେତୁ ରଖିଥା । । ୩୩।।
କ୍ଷରୁଛି ପାଦପଦ୍ମରୁ ମକରନ୍ଦ ,
କ୍ଷମା ସାଗର ହରି ହେ ଆଦିକନ୍ଦ ।
କ୍ଷମା ସାଗର ଅନ୍ତର୍ଯ୍ୟାମୀ ପୁରୁଷ,
କ୍ଷମା କରହେ ଅନ୍ତର୍ଯ୍ୟାମୀର ଦୋଷ । । ୩୪ ।।