ଯନ୍ତ୍ରଣା
ଯନ୍ତ୍ରଣା
ଏମିତି ସଂସାରରେ କେହି ଜଣେ ନାହଁ
ଯନ୍ତ୍ରଣା ଯାହାର ନାହିଁ
ସବୁ ଜୀବଙ୍କର ହୃଦୟ ଭିତରେ
ଭରି ରହି ଥାଏ ଏହି ।
ଉପରେ ଉପରେ ହସୁଥାଏ କିଏ
ଭିତରେ ଯନ୍ତ୍ରଣା ସହି
ଆଖି ଲୁହ ତାର ହେଇଥାଏ ସାଥି
ପାରେନା କାହାକୁ କହି ।
ନିଜ ଦୁଃଖ ଛାତି ଭିତରେ ସେ ଚାପି
ଦୁନିଆରେ ବାଟ ଚାଲେ
କେତେବେଳେ ପାଦ କଣ୍ଟା ପରେ ଥାଏ
କେବେ ରହି ଥାଏ ଫୁଲେ ।
କେବେ ସେ ଆଖିର ଲୁହରେ ତ ଭିଜେ
କେବେ ଉପହାସ ସୁଏ
କେବେ ନିନ୍ଦା ଅପବାଦ ଯନ୍ତ୍ରଣାକୁ
ନୀରବରେ ସହୁ ଥାଏ ।
ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ
ଯନ୍ତ୍ରଣାଟି ରହି ଥାଏ
ମଶାଣୀ ଜୁଇରେ ଶୋଇଗଲା ପରେ
ଯନ୍ତ୍ରଣାଟି ସରି ଯାଏ ।
ଏଇ ଯନ୍ତ୍ରଣା ଯେ ବିଭିନ୍ନ ପ୍ରକାର
କେତେ ତାର ରୂପ ରେଖ
ରାମାୟଣ ଠାରୁ ମହାଭାରତକୁ
ଭଲ ଭାବରେ ପରଖ ।
ରାଜା ଦଶରଥ ଅପୁତ୍ରିକ ପାଇଁ
ଯନ୍ତ୍ରଣାରେ ସଢୁ ଥିଲେ
ପୁତ୍ର ବନବାସ ସହି ନ ପାରିଣ
ଯନ୍ତ୍ରଣାରେ ମରି ଗଲେ ।
ମାତା କୈକେୟୀ ଭରତ ନିନ୍ଦାରେ
ଯନ୍ତ୍ରଣା ପାଇଣ ଥିଲେ
ସୀତାଙ୍କ ହରଣ ସମୟରେ ରାମ
ଯନ୍ତ୍ରଣା ବହେ ପାଇଲେ ।
ପ୍ରହଲ୍ଲାଦ ଯନ୍ତ୍ରଣା ନ ସହିଣ ପ୍ରଭୁ
ଖମ୍ବରୁ ବାହାର ହେଲେ
ନରସିଂହ ରୂପେ ହିରଣ୍ୟ ବିଦାରି
ଭକ୍ତକୁ ଉଦ୍ଧାର କଲେ ।
ପିତାମହ ଭୀଷ୍ମ ଶରଶଯ୍ୟେ କେତେ
ଯନ୍ତ୍ରଣା ସହିଣ ଥିଲେ
ନିଜ ଅପକର୍ମ ପାପକୁ ଭୋଗି ସେ
ସ୍ବର୍ଗ ପ୍ରାପ୍ତ ହୋଇଥିଲେ ।
କଂସ ବନ୍ଦୀ ଶାଳେ ଦେବକୀ ଯନ୍ତ୍ରଣା
ଭାଷାରେ ନୁହଁଇ ସହି
କଂସକୁ ମାରିଣ ଏ ପାପ ଭରାରୁ
ଉଦ୍ଧାରିଲେ ପ୍ରଭୁ ମହି ।
ଏ କଳି ଯୁଗର ପ୍ରତିଟି ଜୀବନ
ଯନ୍ତ୍ରଣା ଜୁଈରେ ଭରା
ପ୍ରତି ଘରେ ଘରେ ପୂରି ରହିଅଛି
ଲୁହେ ଭିଜେ ବସୁନ୍ଧରା ।
ଉପରକୁ ଖାଲି ଭଲେଇ ହୁଅନ୍ତି
ଭିତରେ ଯନ୍ତ୍ରଣା ଭରି
ସ୍ବାର୍ଥ ପାଇଁ ସିଏ ସମ୍ପର୍କ ବାନ୍ଧନ୍ତି
ଭଲ ଅଭିନୟ କରି ।
ଅନ୍ୟକୁ ଯନ୍ତ୍ରଣା ଦେବାଟା ଜାଣନ୍ତି
ଉଦ୍ଧାର କରନ୍ତି କିଏ
ଅନ୍ୟର ଯନ୍ତ୍ରଣା ଲାଘବ ଯେ କରେ
ବଡ ସିନା ଅଟେ ସିଏ ।
ଯଦି କାହାକୁ ତ ଖୁସି ଦେଉ ନାହଁ
କଷ୍ଟ କେବେ ଦିଅ ନାହିଁ
ତା ଆଖି ଲୁହରେ ହସିବା ସଂସାର
ଲୁହରେ ଭିଜିବ ତହିଁ ।
ଏ ଯନ୍ତ୍ରଣା ପୁଣି ବଞ୍ଚିବା ଶିଖାଏ
ଧୈର୍ଯ୍ୟ ଭରି ଦିଏ ସିଏ
ମଶାଣୀ ଜୁଇରେ ପାଉଁଶ ହୋଇଲେ
ଏ ଯନ୍ତ୍ରଣା ଲିଭି ଥାଏ ।
ଅନ୍ୟ ଯନ୍ତ୍ରଣାକୁ ଦୂରେଇ ଦେଇଣ
ମୁଖେ ହସ ଫୁଟେ ଯିଏ
ଏଇ ଦୁନିଆରେ ପ୍ରଭୁ ଆଶୀର୍ବାଦ
ତା ମଥାରେ ରହି ଥାଏ ।