ଯନ୍ତ୍ରଣା
ଯନ୍ତ୍ରଣା
କଲମ ମୂନଟା ମୋର ହେଉଅଛି ଖଲବଲ
କହୁଛି ସେ ଗାରେଇବ ଗୀତ ଓ କବିତା ,
ମାନୁନାହିଁ ବୋଲ ଜମା ନିରବ ସେ ରହୁନାହିଁ
କହୁଛି ସେ ଡଗଡଗ ତା କଥା ବ୍ୟଥା ।
ନିଦ ନାହିଁ ମୋ ଆଖିରେ ଦିଶୁନାହିଁ ଥଳକୂଳ
ଦୁନିଆଟା ଶୂନଶାନ ନିଶ୍ଚଳ ନିରବ,
ଭାସିଯାଏ ଆକାଶରେ କଳାଧଳା ମେଘମାଳା
ବୁଝେନା ସେ ସୁଖ ଦୁଃଖ ଭାବ ଓ ଅଭାବ ।
ଝରୁ ନାହିଁ ନିର୍ଝରଣୀ ଆଗପରି କୁଳୁକୁଳୁ
ଦିଶୁନାହିଁ କୋଇଲି କି ହଳଦୀବସନ୍ତ,
ହଜିଲେଣି ଋତୁଚକ୍ର ପୋକ ମାଛି ଭଣଭଣ
ପାହାଡ଼ରେ ଡହଡହ ନିଆଁ ବି ଜ୍ୱଳନ୍ତ ।
ମରିଯାଏ ମାନବତା ଲୋଭ ମୋହ କଷଣରେ
ପାରେ ନାହିଁ ବୁଝି ସିଏ ଜୀବନ ଉଦ୍ଦେଶ୍ୟ,
ଆବୋରିଛି ସୁଖ ମଣି ମିଛ ମାୟା ଯନ୍ତ୍ରଣାକୁ
ପାଳୁ ନାହିଁ ସତ୍ୟ ଶାନ୍ତି ଅହିଂସାର ବ୍ରତ ।
ଲିଭିଯାଏ ମନତଳେ କ୍ଷୀଣପ୍ରଭ ଆଲୋକ ବର୍ତ୍ତିକା
ଘୋଟିଆସେ ଅନ୍ଧକାର ସ୍ୱ।ର୍ଥ ଅହଙ୍କାର,
ମାନୁନାହିଁ ଏ ମଣିଷ ବୟୋବୃଦ୍ଧ ଗୁରୁ ଗରୀୟାନ
ଦେବତା ଲଜ୍ଜିତ ଏଠି ବଳୀୟାନ ପ୍ରବୃତ୍ତି ଅସୁର ।
ରହୁ ନାହିଁ ତାଳମେଳ କହୁଥିବା କଥା ଆଉ କାମେ
ସୁଖ ଶାନ୍ତି ସାତ ସ୍ୱପ୍ନ କୁଣ୍ଠିତ ଜୀବନ,
ଜର୍ଜରିତ ମହାପ୍ରାଣୀ ଏ ମଣିଷ ଯନ୍ତ୍ରଣାରେ ଅହରହ
ପରିବାର ଘର ନୁହେଁ ବୈକୁଣ୍ଠ ସମାନ ।
ଘୁଞ୍ଚିଯାଉ ବାଧାବିଘ୍ନ ଯେତେ ସବୁ ପ୍ରତିବନ୍ଧ
କଳାଛାଇ ଅହମିକା ମ୍ଳେଚ୍ଛ ଆବର୍ଜନା,
ପୂର୍ବାକାଶେ ପ୍ରତିଭାତ ହୋଇଉଠୁ ସ୍ୱର୍ଣ୍ଣାଭ ସିନ୍ଦୂରା
ନବବର୍ଷ ସୁପ୍ରଭାତେ ମଙ୍ଗଳ କାମନା ।
