ବୃକ୍ଷ ରୋପଣ
ବୃକ୍ଷ ରୋପଣ
ସଂପ୍ରତି ବିଶ୍ୱର ପରିବେଶ ଆଉ
ରହୁନାହିଁ ସନ୍ତୁଳିତ,
ବଢିଛି ଉତ୍ତାପ,ଋତୁଚକ୍ର ମଧ୍ୟ
ଘୁରିବାରେ ଅସଂଯତ ।
ବର୍ଷା ହେଉନାହିଁ ଆବଶ୍ୟକ ବେଳେ
କୃଷିକ୍ଷେତ୍ର ଶୁଖି ଯାଏ,
ଅଦିନିଆ ମେଘ ଆଣୁଛି ତୋଫାନ
ସବୁ ନଷ୍ଟ କରିଦିଏ ।
ଅତୀତରେ ଯେତେ ସବୁଜ ଅରଣ୍ୟ
ଥିଲା ଏଇ ପୃଥିବୀରେ,
ମଣିଷ ତାହାର ସ୍ୱାର୍ଥ ପାଇଁ ସବୁ
କାଟିଚାଲେ ଆନନ୍ଦରେ ।
କଳ କାରଖାନା ବହୁଳ ଭାବରେ
ଚାରିଆଡେ ମୁଣ୍ଡ ଟେକେ,
ବାୟୁ ମଣ୍ଡଳକୁ ଦୂଷିତ କରୁଛି
ପ୍ରତିକୂଳ ଜୀବ ପକ୍ଷେ ।
ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଏବେ
ବିଶ୍ୱେ ସଚେତନା ଜାରି,
ନହେଲେ ସଂସାରେ ଜୀବନ ଅକାଳେ
ନିଶ୍ଚୟ ଯିବ ଯେ ମରି ।
ପ୍ରତି ବିକଶିତ ରାଷ୍ଟ୍ରେ ଅର୍ଥ ବ୍ୟୟେ
ହେଉଛି ଜଙ୍ଗଲ ସୃଷ୍ଟି,
ତଥାପି ମଣିଷ କାଟୁଚି ଜଙ୍ଗଲ
ସ୍ୱାର୍ଥପାଇଁ ଲୁଚି ଲୁଚି ।
ପ୍ରତ୍ୟେକ ମଣିଷ ସଚେତନ ହେବା
ଅଟେ ନିହାତି ଜରୁରୀ,
ବୃକ୍ଷ ରୋପଣ ଯେ କରିବା କର୍ତ୍ତବ୍ୟ
ଜଙ୍ଗଲ ସୁରକ୍ଷା କରି ।
