ପାଦପ ସ୍ବପ୍ନ
ପାଦପ ସ୍ବପ୍ନ
ଠିଆ ହୋଇଥାଏ ମାଟି ପରେ ସେହି
ସହୁଥାଏ ଯେତେ ଖରା ବରଷା
ଆସୁ ପଛେ ଯେତେ ବାଧା ବିଘ୍ନ ପଛେ
ମାଟି ମାଆ ଏକା ତାର ଭରସା
ମଞ୍ଜିଟିଏ ହୋଇ କାଲି ଆସିଥିଲା
ଧରଣୀ ରାଣୀର ବକ୍ଷ ବିଦାରି
ଆଜି ହୋଇଅଛି ମହାଦ୍ରୁମ ସେ ତ
କେତେ ଫୁଲ ଆଉ ଫଳ ସାଙ୍ଗରେ ଧରି
ତାହାରି ଡାଳରେ ପକ୍ଷୀ ବସା ଅଛି
କିଚିରି ମିଚିରି ଶୁଭେ ଶବଦ
ଗୁଣ୍ଡୁଚି ମାଙ୍କଡ ଡ଼ିଆଁ ଡେଇଁ କରି
ଖୁସିରେ କରନ୍ତି ଯେ ଖେଳକୁଦ
ସୁସ୍ୱାଦୁ ଫଳରେ ପୁରିଛି ତା ଗର୍ଭ
ଶୋଷିଲା ଭୋକିଲା ପଥିକ ପାଇଁ
ଛାଇ ଦେଇ ସେ ଯେ କ୍ଲାନ୍ତିକୁ ମେଣ୍ଟାଏ
ତୃପ୍ତି ହୋଇ ଶ୍ରମ ଯାଏ ଦୁରହୋଇ
ଟାଣ ଖରା ହେଲେ ଗହଳ ପତ୍ରରେ
ଘୋଡାଇ ଦିଏ ସେ ଜୀବ ଜୀବନ
ଝୋ ଝୋ ବର୍ଷା ହେଲେ ଡରେନା କିଏ ବି
ବୃକ୍ଷ ଶାଖା କରେ ତାଙ୍କ ରକ୍ଷଣ
ଶୁଖିଗଲା ପରେ ପତ୍ର ଝଡିଯାଏ
ପକ୍ଷୀ ଛାଡିଯାଏ ଦୁରେ ପଳାଇ
ଛୋଟ ପଶୁମାନେ ଆଉ ଛୋଟ ପିଲେ
କେହି ଆସନ୍ତିନି ଆଉ ଖେଳିବା ପାଇଁ
ସେତେବେଳେ ବୃକ୍ଷ ସ୍ବପ୍ନ ଦେଖିଥାଏ
ପୁଣି କଅଁଳିଵ ଦିନେ ପତ୍ର ତାହାରି
ପୂରିବ ତା କୋଳ ଖୁସିରେ ଭରିବ
ଫେରିବେ ଯେବେ ସମସ୍ତେ ବାହୁଡ଼ି
ନହେଲେ ସେ ଜମା ଦୁଃଖ କରିବନି
ମିଶିଯିବ ମାଟି ଦେହରେ ଯାଇ
ଗଣ୍ଡିକୁ ତାହାରି ଜାଳେଣି କରିବେ
ଜନ୍ମ ତ ତାହାରି ପରସେବା ପାଇଁ