ସଂପର୍କ
ସଂପର୍କ
ଦୁଇଟି ଜୀବନ ଅନ୍ତ ଗହ୍ୱରର
ଖୋଦିତ ସୁବର୍ଣ୍ଣ ଲେଖା
ନିବିଡ ବନ୍ଧନେ ବନ୍ଧା ସେ ଜୀବନେ
ସମ୍ପର୍କର ନାମ ଏକା ।
"ସ" ଅକ୍ଷରଟି ସୁଦୃଢ଼ ରଜ୍ଜୁଟି
ପରସ୍ପରରେ ବାନ୍ଧେ ଏକ
ଛିଣ୍ଡିଲେ ରଜ୍ଜୁଟି ସଂପର୍କ ତୁଟେଟି
ଦିଶେ ଅବସାଦ ମୁଖ ।
"ମ" ଅକ୍ଷରରେ ମମତା କବଳେ
ଗଢେ ସମ୍ପର୍କର ସେତୁ
ତୁଟିଲେ ମମତା ସବୁ ହୁଏ ପିତା
ଘଡିକେ ବଦଳେ ୠତୁ ।
"ପ" ପବିତ୍ରତା ଭରେ ଅନୁଚିନ୍ତା
ଦୁହିଁଙ୍କ ମଙ୍ଗଳ ସାଧେ
ସମ୍ପର୍କେ ପବିତ୍ର ହେଲେ ଅପବିତ୍ର
ଉଭୟ ଅନ୍ତର ବାଧେ ।
"ର" ଅକ୍ଷରଟି ରିକ୍ତକୁ ବିଝାଏ
ନିଃସ୍ୱାର୍ଥପରତା ମୂଳ
ସମ୍ପର୍କେ ସାହାଯ୍ୟ ସହାନୁଭୂତିର
ଖୋଜେନି କେବେ ସେ ମୂଲ ।
"କ" ରେ କଲ୍ୟାଣ ସଦା ଆଣେ ମନ
ସୁସମ୍ପର୍କେ ସୁଚିନ୍ତନ
ସମ୍ପର୍କେ ମଙ୍ଗଳ କାମନା ବିହିତ
ହୁଏ ଅତୁଟ ବନ୍ଧନ ।
ଦେଶ ଦେଶ ମଧ୍ୟେ ଜାତି ଜାତି ମଧ୍ୟେ
ମନ ମନ ମଧ୍ୟେ ଭାବ
ସମ୍ପର୍କର ଡୋରି ବାନ୍ଧେ ଏକ କରି
ମିଳେ ସୁଖ ପରାଭବ।
