ଜୟ ହେ ବିଶ୍ୱ ବିନ୍ଧାଣି
ଜୟ ହେ ବିଶ୍ୱ ବିନ୍ଧାଣି
କିଏ ଗଢ଼ିଅଛି ଏ ବିଶ୍ୱ ବ୍ରହ୍ମାଣ୍ଡ
ନାହିଁ ଯାର ଆଦି ଅନ୍ତ l
ଗିରି,ବୃକ୍ଷ,ଲତା ଧନ୍ୟ ନିରିମାତା
ବ୍ୟକ୍ତ, ଅବ୍ୟକ୍ତ, ଅନନ୍ତ l
କିଏ ଫୁଟାଇଛି ତରୁଡାଳେ ପୁଷ୍ପ
ତା' ମଧ୍ୟେ ଭରିଛି ବାସ l
ମାତା ବକ୍ଷେ ପୁଣି ଅମୃତ ଭରିଛି
ଶିଶୁ ମୁଖେ ଦିବ୍ୟ ହସ l
କିଏ ଶିଖାଉଛି ଶିଶୁଟିକୁ ପୁଣି
ଠୁମକ ଠୁମକ ଚାଲି l
ଭାଷା ଦେଲା ପୁଣି ତାର ମୁଖେ ଆଣି
କଥା କହେ ଖିଲି ଖିଲି l
କିଏ ଗଢ଼ିଅଛି ପିତା ମାତା ବନ୍ଧୁ
ହୃଦୟେ ଦେଇଛି ପ୍ରୀତି l
ଆନନ୍ଦ ଉଲ୍ଲାସେ କାଳ ହରିନିଏ
ସୁଖ ଭୁଞ୍ଜି ମୁହିଁ ନିତି l
କିଏ ଗଢ଼ିଅଛି ଟିକି ଚଢ଼େଇଟି ଡେଣା
ଝାଡ଼ି ବ୍ୟୋମେ ଉଡ଼େ l
ଚନ୍ଦ୍ରମାରେ କିଏ କଳା ଦେଇଅଛି
ପକ୍ଷେ ବଢ଼େ ପକ୍ଷେ ଛିଡ଼େ l
ଜୀବତ୍ମା ମଧ୍ୟରେ ଆତ୍ମା କେ ଦେଇଛି
ପରମାତ୍ମା ଠାରୁ ଆଣି l
ଆକାଶେ ତାରାଙ୍କୁ ଖଞ୍ଜି କେ ଦେଇଛି
ବରଷା ଧାରାରେ ପାଣି l
କୋଟି କୋଟି ଗ୍ରହ,ନକ୍ଷତ୍ର,ତାରକା,
ଉଲ୍କା ପୁଣି ଧୂମକେତୁ l
ଛାୟାପଥ ଯଥା ସରଗେ ଶୋଭଇ
ଘୋର ଜଳଧିରେ ସେତୁ l
ପ୍ରାଣୀଙ୍କର ପ୍ରାଣ, ମଳୟ ପବନ
ପୁଣି ଗଢ଼ି ଅଛି ଜଳ l
କାଷ୍ଠ ,ଧାତୁ,ଶିଳା ମଧ୍ୟେ କେ ରଖିଛି
ଲୁଚାଇ ପୁଣି ଅନଳ l
ଜ୍ୟୋତି ମଧ୍ୟେ ଦିବ୍ୟ ଜ୍ୟୋତି ପରଂ
ବ୍ରହ୍ମ ନିରାକାର ନିରଞ୍ଜନ l
ସର୍ବଦ୍ରଷ୍ଟା,ସର୍ବକର୍ତ୍ତା, ସର୍ବକାର୍ଯ୍ୟ
ଅମଣ୍ଡଳା ପୁରେ ସ୍ଥାନ l
ଅରୂପ, ସ୍ୱରୂପ, ସର୍ବରୂପ ପୁଣି
ସବୁଠି ଲୀଳା ପ୍ରକାଶ l
କି ରୂପ ତାଙ୍କର କେଉଁଠାରେ ପୁର
କହିବ କି ପୀତବାସ l
ଜୟ ଜୟ ଜୟ ବିଶ୍ୱ କାରିଗର
ଜୟ ହେ ବିଶ୍ୱ ବିନ୍ଧାଣି l
ମହିମା ତୁମ୍ଭର ନରଦେହେ କାହୁଁ
ଅଜ୍ଞାନ ପାରିବ ଜାଣି l