ଯିଏ ଯାହା କହୁଛି କହୁ
ଯିଏ ଯାହା କହୁଛି କହୁ
ତୁମସହ ସଖୀ ବାଟ ଚାଲୁଥିଲେ
ଥକି ଯାଏନାହିଁ ପାଦ
ଦେଖୁପଛେ କିଏ ତୀର୍ଯ୍ୟକ ନୟନେ
ଦେଉ କିଏ ଅପବାଦ I
କିଏ କରେ କେତେ ଆଶିଷ ବରଷା
କିଏ କୁହେ ଗଣ୍ଠିଧନ
ବେଳେବେଳେ ସଖୀ କାନେ ପଡିଯାଏ
କୋଇଲିର କୁହୁତାନ I
କେବେ ପଡିଯାଏ ଚିହ୍ନାଜଣା ରାସ୍ତା
କେବେ ପଡେ ମରୁଭୂଇଁ
ବାଟଚଲା କ୍ଳାନ୍ତି ଭୁଲି ହୋଇଯାଏ
ତୁମେ ଦେଉଥିଲେ ଛୁଇଁ I
ମରିଚିକା କରେ ଆତୁର ପରାଣ
ଗଳାରେ ଭରଇ ଶୋଷ
ମରୁଝର ହୋଇ ଉଭାହୁଅ ତୁମେ
ମନୁ ହଜେ ଅବସୋସ I
କେତେଯେ ଘଟଣା କେତେ ଦୁର୍ଘଟଣା
ଘଟୁଥାଏ ବାରମ୍ବାର
ମୋ ଆତୁର ପ୍ରାଣେ ପ୍ରୀତିବର୍ଷା କରି
ଧରିନିଅ ହାତ ମୋର I
ପାଗଳ ଟିଏ ମୁଁ ତୁମରି ପ୍ରେମରେ
ଉବୁଟୁବୁ ମୋର ପ୍ରାଣ
ତୁମେ ଅଛ ବୋଲି ବିଚଳିତ କେବେ
ହୋଇନାହଁ ମୋର ମନ I