ଯେବେ ମୁଁ ଛୋଟ ଥିଲି
ଯେବେ ମୁଁ ଛୋଟ ଥିଲି
ମୋ କଥାକୁ ମୁଁ ଭାବିଲା ବେଳକୁ
ଲାଗୁଛି ସରମ ମୋତେ
ଲେଖିବା ପାଇଁକି ହାତ ଚଳୁ ନାହିଁ
ସତେ ଦୁଷ୍ଟ ଥିଲି କେତେ ।
ସକାଳୁ ବିଛଣା ଛାଡ଼ିବା ପାଇଁକି
ବୋଉ ଛାଡ଼ୁ ଥିଲା ରଡ଼ି
ପିଉସୀ ଜେଜେମା ସରାଗରେ ଆସି
କୋଳରେ ଧରନ୍ତି ଭିଡ଼ି ।
ଦିନ ସାତଟାରେ ନିଦ ଭାଙ୍ଗି ଗଲେ
ଦୁଷ୍ଟାମୀ ଆରମ୍ଭ ହୁଏ
କେତେ ଦୁଷ୍ଟ ପିଲା ଏକତ୍ର ହୋଇଣ
ତହିଁରେ ରାଜନ ଥାଏ ।
ପୁଷ୍କରିଣୀ ଜଳ କରି ସାତ ତଳ
ନିତି ମୋର ସିଙ୍ଗାବୁଡା
ସାତ ଦିନେ ଥରେ କତରା ଧରେ ମୁଁ
ବାପାଙ୍କଠୁ ଖାଏ ତଡ଼ା ।
ପାଠ ଘରେ ମୋର ବଡ଼ ବଡ଼ ଆଳୁ
ଶୁନ ସବୁଥିରେ ଆସେ
ସ୍କୁଲ ନଯିବା ବାହାନା କରେ ମୁଁ
ଜ୍ୱର ବୋଲି କାନ୍ଦି ବସେ ।
ଆମ୍ବ ଜାମ୍ବୁ ଚୋରି ବୋହୁ ଲୁଚୁକାଳି
କେତେ ଥଟ୍ଟା ଉପହାସ
ପୁଆ ବାଡି କିବା ଡାଳ ମାଙ୍କୁଡରେ
ଗପ ପେଡ଼ି ପୁଣି ହସ ।
ବେଳ ବୁଡି ଗଲେ ସଞ୍ଜ ନଇଁ ଆସେ
ଆଖିରେ ଆଖିଏ ନିଦ
କସିବା ପାଇଁକି କଠିନ ଗଣିତ
ମୁହିଁ କି କରିବି ଭେଦ ?
ବାରମ୍ବାର ଯାଇ ଲଣ୍ଠନ ଉପରେ
ମଥା ହେଉ ଥାଏ ପିଟି
ଖାଇବା ପାଇଁକି କେବେ ଉଠି ବସେ
ପୁଣି କେବେ ଛାଟି ପିଟି ।
ଯେତେ ମାଡ ଖାଏ ଯେତେ ଗାଳି ଶୁଣେ
ସୁଧାର ନଆସେ ମୋର
ଦିନେ ହଷ୍ଟେଲରେ ଛାଡି ଦେଲେ ବାପା
ଡେଇଁଲି ପାଚେରୀ ତାର ।
ଭୋରୁ ଭୋରୁ ଘରେ ପହଞ୍ଚିଲି
ଧୀରେ ଡାକେ ବୋଉ ବୋଉ
କାନ ମୁଁ ଧରୁଛି ତୋ କଥା ଶୁଣିବି
ଦୁଷ୍ଟ ହେବି ନାହିଁ ଆଉ ।