ଯୌଥ ପରିବାର
ଯୌଥ ପରିବାର
ଏକାନ୍ନବର୍ତ୍ତୀକୁ ଆଧୁନିକ ଯୁଗ
ସାଦରେ ଗ୍ରହଣ କରି
ଆପଣା ଜୀବନ ଐଶ୍ଵର୍ଯ୍ୟ ବର୍ଦ୍ଧିତ
ଭାବେ କେଡେ ବୀର ପରି ।
ସୁଖ ଶାନ୍ତି ଯେତେ ନିବିଡତା ଭରା
ଯୌଥ ପରିବାରେ ଦିଶେ
ଏକୀକୃତ ହୋଇ ଆନନ୍ଦ ଉଲ୍ଲାସ
ସତେ ଜହ୍ନ ତାରା ହସେ ।
ବିପଦ ଆପଦେ ସଂଘବଦ୍ଧତାରେ
ଲଂଘି ଯାନ୍ତି ନଦୀ ଗିରି
ଅନ୍ନ ବ୍ୟଞ୍ଜନକୁ ସକଳେ ସେବନ୍ତି
ତିକ୍ତ ହେଉ କିବା ଖିରି
ଉଦାସର ଛାୟା କାହାର ବଦନେ
ଟିକିଏ ଝଲସି ଯାଏ
ପ୍ରଶ୍ନିଳ ନୟନେ ସଭିଏଁ ପୁଛନ୍ତି
ଢାଳି କେତେ ମାୟା ସ୍ନେହେ ।
ପିତା ଭାଳୁ ଥାନ୍ତି ସନ୍ତାନ ଭବିଷ୍ୟ
ମାତା ଯେ ଉଦର କଥା
ଭାଇ ଭଗ୍ନୀ ଚିତ୍ତ ସତେ ଏକ ବୃନ୍ତ
ବାଢୁ ଥାନ୍ତି ମନ ବ୍ୟଥା ।
ସ୍ବାମୀ ସୁହାଗିନୀ ସେ ଯେ ଅର୍ଦ୍ଧାଙ୍ଗିନୀ
ପତି ପ୍ରାଣା ବିନୋଦିନୀ
ଗୃହ କର୍ତ୍ତା ସେତ ସପ୍ରେମେ ଆଦରି
ମନ ନେଉ ଥାନ୍ତି ଜିଣି ।
ଏଇ ଘରେ ପୁଣି କାହାଣୀର ମୁଣି
ଜେଜେ ମା ଶୁଣାଉ ଥାଏ
ନାତି ନାତୁଣୀ ଯେ ଅତି ଆନନ୍ଦରେ
ପଡ଼ି ଥାନ୍ତି ତାଙ୍କ ମୋହେ ।
ଯୌଥ ପରିବାର ଆନନ୍ଦ ଅପାର
ବୁଝିଲେ ଲଭିବ ସୁଖ
ନିତି ଯଦି ତୁମେ ସ୍ଵାର୍ଥ ଚିନ୍ତା କର
ଜୀବନ ଲଭିବ ଦୁଃଖ ।
