STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଯାଯାବର

ଯାଯାବର

1 min
382

ସହରରୁ ସହର

ଓ ପ୍ରହହରୁ ପ୍ରହର

ସେ ବଦଳାଇ ଚାଲେ

ଗନ୍ତବ୍ୟ ଓ ଦିଗ ତା ଯାତ୍ରାର। 

କେଉଁ ଏକ ଉଦାସୀ ଛାଇରେ

ଥକାମାରି ଘଡ଼ିଏ ଦି ଘଡ଼ି

ସେ ପୁନଶ୍ଚ ପ୍ରାରମ୍ଭ କରେ

ତା ପରବର୍ତ୍ତୀ ଯୋଜନା ଯାତ୍ରାର,

ଜୀବନ ତା ଅସୀମ ପଥଟେ

ସେ ଏକ ରାହାଟିଏ ଖୋଜୁଥିବା

ଏକ ଉତ୍ସାହରେ ଭରା ଯାଯାବର। 


ଗତକାଲିକୁ ଫିଙ୍ଗିଦେଇ

ତା ପୁରୁଣା ସହରେ,

ସେ ସାଉଁଟି ବସେ ଜୀବନକୁ

ଝାପ୍ସା ଦିଶୁଥିବା ଆସନ୍ତାକାଲିର

କୁହୁଡ଼ିଆ ଧୂମ୍ର ସହରରେ।

ସେମିତି କିଛି ନଥାଏ ତା

ଆଶା ଓ ଆକାଂକ୍ଷାର ସଂଜ୍ଞା

ନା ଥାଏ କାହାର ରାଣ କି ନିୟମ

ନା ଥାଏ ଭାଙ୍ଗିବାର ଭୟ

କରିଥିବା କାହାପାଇଁ ଅତୁଟ ପ୍ରତିଜ୍ଞା।


ତେଣୁ ସେ ନିଶ୍ଚିତ ଥାଏ

ସୁଖ ଦୁଃଖର ଅନେକ ଉର୍ଦ୍ଧ୍ବରେ

ଭୟଠାରୁ ଯଥେଷ୍ଠ ଦୂରରେ

ନା ଆୟୁଷର ବୃଥା ପ୍ରତାରଣା

ନା ଯୌବନର ଅବ୍ୟକ୍ତ ଯନ୍ତ୍ରଣା

ତା ଆଖିରେ ନଥାଏ ବି

ମୃତ୍ୟୁ ପ୍ରତି ତିଳେ ହେଁ ଶୋଚନା

ସେ ଏକ ଲକ୍ଷହୀନ ନଦୀଟିଏ ପରି

ବହିଚାଲେ ଖରେ

ମିଶିଲେ ମିଶୁ ପଛେ ସାଗର ଗର୍ଭରେ

ଅବା ହଜିଯାଉ ଅଚାନକ

କେଉଁ ଏକ ମରୁ ପ୍ରାନ୍ତରରେ। 


ତଥାପି ସେ ଜିଏଁ

ହସ କାନ୍ଦର ଆସର ଭିତରେ

ଛୋଟ ଛୋଟ ଆଶା ଓ ସ୍ୱପ୍ନଙ୍କ ସାଥିରେ,

ସୃଜନଶୀଳତାର ବିକାଶ ଘଟେ

ତା ପାଦଚିହ୍ନର ଇତିହାସରୁ

ଓ ସେ କହିଯାଏ ଅନେକ ଅବ୍ୟକ୍ତ କାହାଣୀ

ତା ଅଜାଣତରେ

ଯାହାକୁ ପାଥେୟ କରି

ଆଉ ଏକ ପଥଚାରୀଟିଏ

ବାଛିନିଏ ବାଟ କି ଅବାଟ

ପରଖି ତା ଝୁଣ୍ଟିବା ଓ ଚାଲିବା ଗତିରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract