ଯାଇଥିଲ କୁହ କେଣେ
ଯାଇଥିଲ କୁହ କେଣେ
ରାଧାଙ୍କ ମୁଣ୍ଡରେ ମୟୂରପୁଚ୍ଛ,
ନାଟୁଆ ନାଗର ଖୋସି ଦେଇଛ
ମାନୁଅଛି ଭାରି ଭଲ,
ଇସ୍ କି ସୁନ୍ଦର ବଇଁଶୀ ଧରି,
ହାସ୍ୟମୟୀ ବେଶେ ରାଇ କିଶୋରୀ
ପାଇଗଲେ ପ୍ରୀତି ମୂଲ ।
କେତେ କଉଶଳ ଜାଣ କହ୍ନେଇ,
ବିଶ୍ଵଜିତା ମନ ନେଲ ମନେଇ
ଚାରିଗଲା ତାଙ୍କ ରୋଷ,
ଆଗରୁ ଛଳିଆ, ପର ଭଳିଆ
ନ ଭେଟିଲ ଯେ ଯମୁନା କୂଳିଆ
ସବୁ ପରା ତୁମ ଦୋଷ ।
ବୃନ୍ଦାବନ ଆଉ କଦମ୍ବ ମୂଳ,
ପ୍ରତୀକ୍ଷାରେ କେତେ କଟିଛି ବେଳ
ଯାଇଥିଲ କୁହ କେଣେ,
ଖବର ନାହିଁ କି ଦବର ନାହିଁ
କଳ୍ପନାରେ ନୀଳ ତନୁକୁ ଧ୍ୟାୟୀ
ଦିନ ବିତୁଥିଲା ଏଣେ ।
ମିଳନ ହୋଇଛି ବଜାଅ ବେଣୁ,
ଏ କର୍ଣ୍ଣଯୁଗଳ ସେ ନାଦ ଶୁଣୁ
ନେତ୍ର ହୋଇଯାଉ ଧନ୍ୟ,
ବିଲୋକନ କରି ସେ ଦିବ୍ୟ ରାସ,
ବିଭୋରେ ବୋଲିବି ଶ୍ରୀ ରାଧେକୃଷ୍ଣ
ଅରଜିବି କୋଟି ପୁଣ୍ୟ ।।

