ଯାଇ ପଚାର କୋରୋନାକୁ============
ଯାଇ ପଚାର କୋରୋନାକୁ============
ଆକାଶ ଦିଶେ କି ନିର୍ମଳ, ତାକୁ ରଚିଲେ ଆଦିମୂଳ। ନିର୍ମଳ କିଏ କଲା ତାକୁ, ଯାଇ ପଚାର କୋରୋନାକୁ। ଆଜି ନିର୍ମଳ ଗଙ୍ଗାମାୟୀ, ନର୍ଦ୍ଦମା ଥିଲା କାଲି ସେହି। କେ ସଫା କଲା ନର୍ଦ୍ଦମାକୁ, ଯାଇ ପଚାର କୋରୋନାକୁ। ଶହେ କୋଶରୁ ହିମାଳୟ, ଦିଶଇ କେଡେ ଶୋଭାମୟ, କିଏ ଏ ଶୋଭା ଦେଲା ତାକୁ, ଯାଇ ପଚାର କୋରୋନାକୁ। କେଡେ ଆନନ୍ଦେ ନୀଳଗାଈ, ନିର୍ଭୟେ ବୁଲେ ଦିଲ୍ଲୀ ଯାଇ, ନିର୍ଭୟ କିଏ କଲା ତାକୁ, ଯାଇ ପଚାର କୋରୋନାକୁ। ଆକାଶ ପୃଥିବୀ ଯେ ଜଳ, ସବୁ ଦିଶନ୍ତି ନିରିମଳ। ପଶୁ ପକ୍ଷୀଏ ମହାନନ୍ଦେ ଭ୍ରମନ୍ତି ଧରାରେ ଆନନ୍ଦେ, କିଏ ଦେଲା ଏ ପ୍ରଶାନ୍ତିକୁ? ଯାଇ ପଚାର କୋରୋନାକୁ। କେଉଁ ଅଜଣା ଯମ ଡରେ, ଲୁଚେ ମନୁଷ୍ୟ କୋଠରୀରେ, ନଲୁଚିଲେ ସେ ମହାମାୟୀ ତଣ୍ଟି କି ଚିପି ଯିବ ଖାଇ। କିଏ ଏ ଡର ଦେଲା ତାକୁ, ଯାଇ ପଚାର କୋରୋନାକୁ। ଠାକୁର ପୂଜେ ଭକ୍ତ ଘରେ ତାଲା ପଡିଛି ଶ୍ରୀମନ୍ଦିରେ, ଶୂନ୍ୟ ହୋଇଛି ମସଜିଦ, ଗିର୍ଜାରେ ନଶୁଭେ ଶବଦ। କିଏ ବାନ୍ଧିଛି ଧରମକୁ, ପଚାର ଯାଇ କୋରୋନାକୁ। ଛତରା ଶିଖିଲେ ଶୃଙ୍ଖଳା, ବଜାରିଗିରୀ ବନ୍ଦ ହେଲା। ମୁଖେ ବାନ୍ଧିଲା କେ ତୁଣ୍ଡିକୁ, ପଚାର ଯାଇ କୋରୋନାକୁ। ଆଗେ 'ଆସିକା ଫଟି' ମୁତ ପିଅନ୍ତି ବିଚାରି ଅମୃତ, ଏବେ କ'ଣ ପିଉସୁନ୍ତି କେତେ ଭାଉରେ କିଣୁସୁନ୍ତି? ଚୋରାରେ ମିଳୁଚି ନା ନାଇଁ? ପଚାର କୋରୋନାକୁ ଯାଇ। ପୁରୁଷମାନେ ଘରେ ରହି, ଝାଡ଼ୁ ପୋଛାରେ ମନ ଦେଇ, ପତ୍ନୀଙ୍କୁ ସାହାଯ୍ୟ କରନ୍ତି, ଛୋଟ ପିଲାଙ୍କୁ ସମ୍ଭାଳନ୍ତି। କେ ଦେଲା ଏ ଦିବ୍ୟ ଭାବକୁ? ଯାଇ ପଚାର କୋରୋନାକୁ। ଦାଢି କାଟିବା ସିନା ଘରେ, ବାଳ କାଟିବା କେଉଁ ଠାରେ, ଲମ୍ବିତ ବାଳ ସଭିଙ୍କର, ଧରିଣ ହିପି ଅବତାର । ସର୍ବେ ଯିବା କି ଯୋଗୀ ହୋଇ, ପଚାର କୋରୋନାକୁ ଯାଇ। ଯେଉଁଠି ହୁଏ ମାରାମାରି, ସେଇଠି କି ସୁନ୍ଦର ଧାଡି !, ଖଡ଼ି ଗୋଲେଇ ମଧ୍ୟେ ଉଭା, ଆହା କି ଶୃଙ୍ଖଳାର ଶୋଭା, ଡର କି ମାମୁଁଙ୍କ ଲାଠିକୁ ? ଯାଇ ପଚାର କୋରୋନାକୁ। କୋଡ଼ିଏ ଥର ହାତ ଧୋଇ କେନ୍ଦା ହୋଇଲା ହାତ ଦୁଇ। ହେଲା କି ରୋଗ ଶୁଚିବାଇ? ପଚାର କୋରୋନାକୁ ଯାଇ। କୋରୋନା ସଙ୍ଗେ ଲୁଙ୍ଗି ଦାଢି କେଉଁ ସମ୍ପର୍କ ଅଛି ଯୋଡ଼ି ? ନପାର ଯେବେ ଜାଣି ତାକୁ, ଯାଇ ପଚାର କୋରୋନାକୁ। ବଳୁଆ ଦେଶ ନାଁ ଡକା, ବୋଲନ୍ତି ତାକୁ ଆମେରିକା, ବାଘ ଭଳି ଯେ ଗର୍ଜୁଥାଏ, ଆଜି ସେ ଓଦା ପୁଷିଟିଏ। ବିଲେଇ କିଏ କଲା ତାକୁ, ଯାଇ ପଚାର କୋରୋନାକୁ। ନିର୍ମଳ ଦେଶ ମଧ୍ୟେ ସାର, ଟେମସ କୂଳର ନଗର, ତାର ୱେଲସ୍ ରାଜପୁତ୍ର, ହେଲେଣି କୋରୋନାରେ ଗ୍ରସ୍ତ, କି ହେଲା ପ୍ରଧାନ ମନ୍ତ୍ରୀଙ୍କୁ, ପଚାର ଯାଇ କୋରୋନାକୁ। କରି କରାଉ ଥାଏ ସେହି, ଜାଣି ବି ନଜାଣିବା ହୋଇ, କରୋନା ନନ୍ଦିନୀ ଯାହାର, ସଂସାର କଲା ଥରହର। ଜାଣିନ ଯେବେ ସେ ଦେଶକୁ, ପଚାର ଯାଇ କୋରୋନାକୁ।