ଉଠ ଆର୍ତ୍ତତ୍ରାଣ
ଉଠ ଆର୍ତ୍ତତ୍ରାଣ
ତୁମ୍ଭେ ନୀଳାଚଳେ ବସିଛ ନିଶ୍ଚଳେ
ହୃଦୟ ପଥର କରି
କୁହ କାହିଁ ପାଇଁ କାଳିଆ ଗୋସାଇଁ
ଜୀବକୁ ଗଲ ପାଶୋରି ॥୧॥
ଭକତ ବତ୍ସଳ ଭକତ ବାନ୍ଧବ
ବହିଛ ନାମକୁ ଧରି
ଠିକଣା ବେଳରେ ଠକି ଦେଲେ ପ୍ରଭୁ
ସବୁ ଯିବେ ଏଠି ମରି ॥୨॥
ନିଡର ନୁହେଁରେ ନୀଡରେ କେହି
ଡେଣା ତ ଗଲାଣି ଚିରି
ତଥାପି ବଞ୍ଚିଛୁ ସାହସ ସଞ୍ଚିଛୁ
ତୁମ୍ଭକୁ ଆଶରା କରି ॥୩॥
ମୋ କଳାବାମନ ପତିତ ପାବନ
ଅଶ୍ରୁ ଯାଉଅଛି ଝରି
ଛାଡି ସିଂହାସନ ଉଠ ଆର୍ତ୍ତତ୍ରାଣ
ରକ୍ଷାକର ନରହରି ॥୪॥