ଉତ୍କଳମଣି ଗୋପବନ୍ଧୁ
ଉତ୍କଳମଣି ଗୋପବନ୍ଧୁ
ପର ଦୁଃଖ ଦେଖି କାନ୍ଦୁଥିଲ ତୁମେ
ହେ ପୂଜ୍ୟ ଦରଦୀ ବନ୍ଧୁ ,
ଓଡ଼ିଶାର ଘରେ ଘରେ ପରିଚିତ
ସୁଆଣ୍ଡୋର ଗୋପବନ୍ଧୁ ।
ବନ୍ୟା ବିପନ୍ନଙ୍କୁ ସାହାଯ୍ୟ ନିମନ୍ତେ
ରୋଗିଣା ପୁଅକୁ ଛାଡ଼ି ,
ଭୋକିଲା ପେଟକୁ ଖାଦ୍ୟ ଯୋଗାଇଲ
ଆସିଥିଲା ଯେବେ ବଢ଼ି ।
ହଇଜା ବ୍ୟାପିଲା ପୁରୀ ଜିଲ୍ଲା ଯାକ
ଯୁଆଡ଼େ ଚାହିଁଲେ ଶବ ,
ଅକୁଣ୍ଠିତ ଚିତ୍ତେ କରିଗଲ ସେବା
ତେଜି ମନୁ ଘୃଣା ଭାବ ।
ମାତୃଭୂମି ମାତୃ ଭାଷାର ଉନ୍ନତି
ଜୀବନେ କରିଲ ପଣ ,
ଭୁଲିନି ଏ ଜାତି ଭୁଲିପାରିବିନି
ତୁମ ସେହି ଅବଦାନ ।
ଗୋରା ଶାସକଙ୍କ ସମ୍ମୁଖୀନ ପାଇଁ
ଜନତା ଥିଲେ ଦୁର୍ବଳ ,
ସୁପ୍ତ ଓଡ଼ିଆଙ୍କ ପ୍ରାଣେ ଭରିଦେଲ
ସହସ୍ର ସିଂହର ବଳ ।
ଲେଖନୀ ମୁନରେ ରଚିଗଲ ତୁମେ
ଯେଉଁ କାଳଜୟୀ ଲେଖା ,
ଆଜି ବି ଓଡ଼ିଆ ଗୁଣୁଗୁଣୁ ହୁଏ
ତୁମର ସେ ମହାଶିକ୍ଷା ।
ତୁମ କର୍ମ ବଳେ କୋଟି ଓଡିଆଙ୍କ
ମନକୁ ଯାଇଛ ଜିଣି ,
ଖୋଜୁଛି ଉତ୍କଳ ଫେରିଆସ ଥରେ
ଉତ୍କଳେ ଉତ୍କଳମଣି ।
