ଉଡ଼ାଣ
ଉଡ଼ାଣ
ପକ୍ଷୀ ଉଡ଼ାଣ ମାରେ ଦୂର ଆକାଶକୁ
ମାନେନା ସେ ଭିନ୍ନ ଦେଶର ସୀମା ସରହଦ
ଉଡ଼ିଚାଲେ ଦେଶରୁ ଦେଶକୁ ,
ଉଡ଼ାଣ ନିଶିଦ୍ଧ କିନ୍ତୁ ମଣିଷ ମାନଙ୍କୁ ଯିବାରେ,
ଭାବନା ବାଣ୍ଟିବାରେ ।
ଫୁଲର ବାସ୍ନା ହେଉ କି ପୁତିମୟ ଗନ୍ଧ ଉଡ଼ାଣ ଦିଏ
ପଡ଼ିଶା କାନ୍ଥକୁ ଡେଇଁ,
ବାସ୍ନା ଉଡ଼ାଣ ମାରେ ଦେଶ ସୀମା ଡେଇଁ ,
ଲାଗେନାହିଁ କିଛି ତ ପ୍ରତିବନ୍ଧକ,
ପ୍ରତିବନ୍ଧକ ଖାଲି ତୁମ ଆମ ପାଇଁ
ଯେଉଁଠି ଉଡ଼ାଣ ମନା ମଣିଷର
ଚଳଣୀ ସବୁକୁ ।
ନଦୀଜଳ ବହିଯାଏ ତଳକୁ ତଳକୁ
ଦେଇଯାଏ ଅମୃତ
କରିଥାଏ ତୃଷ୍ଣା ନିବାରଣ
ଭାବେନାହିଁ କେବେ କିଏ ପର କିଏ ଆପଣାର ,
ତଥାପି ଉଡ଼ାଣ ମନା ନଦୀ ଜଳନେଇ
ରାଜ୍ୟ ରାଜ୍ୟ ଲାଗିଥାଏ ଦ୍ବନ୍ଦ୍ବ ,
ତା ବି କେଉଁ ପରମାଣୁ ଯୁଦ୍ଧରୁ କମ୍ ନୁହେଁ ।
ଗତିରୋଧ କରି ପାରିବ କି
ବାୟୁର ଅବାଧ ପ୍ରବାହକୁ ,
ସୂର୍ଯ୍ଯରଶ୍ମୀର କିରଣ ଦାନକୁ,
ସଙ୍ଗୀତର ସ୍ବର ଲହରୀକୁ,
ବାଦ୍ୟର ସୁଲଳିତ ତାନକୁ,
କିନ୍ତୁ ଉଡ଼ାଣ ବନ୍ଦ କରିଦେଇ ପାରୁଛ
ମଣିଷର ଯାତାୟାତକୁ ।
ତେବେ କ'ଣ !
ଶିଶୁର ହସରେ ପାର୍ଥକ୍ଯ ,
ନାରୀର ଯନ୍ତ୍ରଣାରେ ପାର୍ଥକ୍ଯ,
ପଶୁଭଳି ଅତ୍ଯାଚାରରେ ଭିନ୍ନତା,
ସାଧାରଣ ନାଗରୀକର ଅଧିକାର ଛଡ଼ାଇ ନେବାରେ
କ୍ରୁରତା,ଆଉ
ଉଡ଼ାଣ ମନା ତେବେ କେଉଁଥିରେ ।
ଉଡ଼ାଣ ବନ୍ଦ କରିପାରିବନି
ପକ୍ଷୀ ଉଡ଼ିବାରେ ,
ଓହୋ ! ପକ୍ଷୀ ଭଳି ଦେଖାଯାଉଥିବା
ଉଡ଼ାଜାହାଜର ଉଡ଼ାଣ ମନା
ଅନ୍ୟ ଦେଶର ବାୟୁସୀମା ଡେଇଁ,
ସେ ଦେଶର ବଂଧୁଙ୍କୁ କୁଣ୍ଢେଇବାରେ ,
ତଥାପି କ'ଣ !
ଉଡ଼ାଣ ବନ୍ଦ କରି କି ପାରିବା ତାଙ୍କୁ ଭଲ ପାଇବାରେ ?
ଉଡ଼ାଣ ଭରିଯାଉ ସବୁରି ପ୍ରାଣରେ
ଅନ୍ତରରେ
ହୄଦୟରେ
ଆବେଗରେ
ସମସ୍ତଙ୍କୁ ଭଲ ପାଇବାରେ ।
ଉଡ଼ାଣ ହୋଇଯାଉ
ଜଗନ୍ନାଥମୟ ,ପ୍ରେମମୟ,
ଆନନ୍ଦମୟ ।