STORYMIRROR

DHARITRI SAHU

Tragedy Others

3  

DHARITRI SAHU

Tragedy Others

ଉପହାର

ଉପହାର

1 min
213


ଉପହାର ମୂଲ୍ୟ ତୁଳନା ନ ଥାଏ

ଛୋଟ ହେଉ ଅବା ବଡ଼ ହେଉ,

ବାପା ଆଣୁଥିଲେ କମଳା ଚୁଚୁମା

ଖୁସିରେ ନାଚିକି ଖାଉଥାଉ।


ହାଟ ଫେରନ୍ତା କୁ ଚାହିଁ ରହିଥାଏ

ବାପା ଆଣିଥିବେ କେତେ ଚିଜ,

ଆଖୁ ବାଡି ଆଉ ବାଦାମ ପୁଡିଆ

ନାରିକେଳ କୋଳି ଅବା କନ୍ଦ।


ଯେତେ କହିଲେ ବି ଶୋଇବାକୁ ଯାଆ

ବାପା ଫେରିବାକୁ ଡେରି ହେବ,

ମାଆ କଥା ମାନି ଛାପି ଶୋଇ ଥାଏ

କାନ ପାତି ଶୁଣେ ପାଦ ଶବ୍ଦ।


ବାପାଙ୍କର ପାଟି ଶୁଣି ଧାଇଁ ଆସେ

କୋଳେଇ ନିଅନ୍ତି ବାପା କୋଳେ,

ପକେଟରୁ କାଢି ଉପହାର ଦ୍ୟନ୍ତି

 କୋଟି ନିଧି ପରି ସବୁ ଭାଳେ।


 ବଡ଼ ହେଲାପରେ କିଛି ନ ଆଣିଲେ

 ବିସ୍କୁଟ ପ୍ୟାକେଟ ଆଣିଥିବେ,

 ରୋଜଗାର କଲି ତଥାପି ମୋ ବାପା

 ବରା ଦୁଇଟା କୁ ଜାକିଦେବେ।


 କେବେ ମୁଁ ଦେଖିନି ବାହାରକୁ ଯାଇ

 ବାପା ଆସିଥିବେ ଖାଲି ହାତେ,

 ଯେତେ ମନା କଲେ ମନା ମାନନ୍ତି ନି

 ଛୁଆଟା କହିକି ଗାଳିଦେବେ।


 ବାପା ଚାଲିଗଲେ ଅଫେରା ରାଇଜେ

 କେହି ଦିଅନ୍ତି ନି ଉପହାର,

 ପଇସା ତ ଅଛି ସ୍ନେହ ଶ୍ରଦ୍ଧା ଅଛି

 ଦାୟିତ୍ୱ ମୋ ସାରା ପରିବାର।


 ସମସ୍ତେ କୁହନ୍ତି କଣ ବା ଅଭାବ

 ଉପହାର ଆଉ କ'ଣ ହେବ,

 କେହି ଭାବନ୍ତିନି ବୁଢିଟା ଭିତରେ

 ଛୋଟ ପିଲାଟାଏ ଚେଇଁ ଥିବ।


 ଫୁଲ କଢ ହେଉ କଲମଟିଏ ବି

 ଉପହାର ମୂଲ୍ୟ ଯିଏ ଜାଣେ,

 ନିଭୃତ କୋଣରେ ହୃଦୟ କନ୍ଦରେ

 ରଖି ଝୁରୁଥାଏ ପ୍ରତିକ୍ଷଣେ।


 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy