ଉପହାର
ଉପହାର
ଘୋଷା ବିଦ୍ଯା ପରି ଘୋଷିଲେ ପାଠକୁ
ଶିକ୍ଷିତ ନୁହଁଇ ଗଣା
ଆୟତ୍ତ ବିଦ୍ଯାଯେ କର୍ମରେ ନଥାଏ
ପାଠପଢି ମୂର୍ଖ ସିନା
ଚାକିର କରିଣ ସ୍ବାର୍ଥକୁ ଧରିଣ
ଶିକ୍ଷିତ ନୁହଁଇ ଜମା
ସେବା ପ୍ରେମ ବିନା ଜୀବ ଶବ ସିନା
ମଣିଷ ନୁହଁଇ ଜମା।
ମଣିଷ ପଣିଆ ହରାଇ ଯେ ନର
ଅନ୍ଯକୁ ଦିଅନ୍ତି ଜାଳି
ଆଗରେ କେହିତ କହି ନପାରନ୍ତି
ପଛରେ ଦିଅନ୍ତି ଗାଳି।
ପଣ୍ଡିତ ହୋଇଣ ବ୍ରହ୍ମକୁ କନ୍ଦାଏ
ହସୁଥାଏ ଜନ୍ତୁରାଣ
ଭଣ୍ଡିବାକୁ ନୁହଁ ତାହାକୁ ସହଜ
ସବୁ ବିଚାରିବ ଜାଣ।
ନିଜର ଦୋଷକୁ ନ ଦେଖି ଯେ ନର
ଅନ୍ଯ ଦୋଷ ଖୋଜୁଥାଏ
ପରଶ୍ରୀ ଯେ ନର ସହି ନପାରଇ
ନିଜେ ସର୍ବନାଶ ହୁଏ।
ଏ ଜୀବନ ଯଦି କାହା ଲାଗି ଭାର
ଜନ୍ମ ସଫଳ ନୁହଁଇ
ଦୁଃଖ ପିଇ ଥରେ ସୁଖ ଦିଏ ବାରେ
ପୁରୁଷୋତ୍ତମ ବୋଲଇ।
କ୍ରୋଧ ଅହଂକାର ମାନବ ବିକାର
ଟଙ୍କା ନୁହଁଇଟି ସବୁ
ବିପଦରେ ରହି ଦୁଃଖରେ ହସାଇ
ଶୁଭକର୍ମେ ସାହା ବିଭୁ।
ଅନ୍ଯକୁ ହସାଇ ସୁକର୍ମ କରଇ
ମଙ୍ଗଳ ଚିନ୍ତେ ଅନ୍ଯର,
ଗଲାବେଳେ/ ମଲାପରେ ଲୋକେ ଗୁଣ ଗାଉଥିଲେ
ହେବ ବଡ ଉପହାର।