STORYMIRROR

Binodini Dash

Abstract

4  

Binodini Dash

Abstract

ଉଜ୍ଜ୍ବଳ ଜ୍ୟୋତିଷ୍କ ବାଜପେୟୀ

ଉଜ୍ଜ୍ବଳ ଜ୍ୟୋତିଷ୍କ ବାଜପେୟୀ

1 min
313


ଭାରତ ଭୂଇଁରେ ଜନମି ଅଛନ୍ତି 

ଯେତେ ଉଜ୍ଜ୍ବଳ ଜ୍ୟୋତିଷ୍କ

ସେମାନଙ୍କ ମଧ୍ୟେ ତୁମେ ହେ ଅଟଳ

ଜାଳିଛ କୀର୍ତ୍ତି ଆଲୋକ

ସେହି ଚିର ଅମଳିନ

ସ୍ମୃତିଗାଥାସବୁ ଝୁରି ଚାଲିଥିବ

ଏଠାରେ ପ୍ରତିଟି ପ୍ରାଣ ।


ଉଣେଇଶ ଶହ ଚବିଶ ମସିହା

ଡିସେମ୍ବର ପଚିଶରେ

ମଧ୍ୟପ୍ରଦେଶର ଗ୍ବାଲିଅରଠାରେ

କୃଷ୍ଣ କୃଷ୍ଣାଙ୍କ କୋଳରେ

ଭୂମିଷ୍ଠ ଶୁଭ ବେଳାରେ

ମହକି ଉଠିଲ ମେଲି ଦୁଇ ପତ୍ର

ତୁଳସୀ ସମ ବାସରେ ।


ଛାତ୍ର ଜୀବନରୁ ସେବା ମନୋବୃତ୍ତି

ଦେଶପ୍ରେମୀ ମନୋବୃତ୍ତି,

ଭୀଷ୍ମ ସଦୃଶ କାର୍ଯ୍ୟରେ ଅଟଳ

ହୃଦୟରେ ଶାନ୍ତି ମୈତ୍ରୀ

ଭାବକୁ ରଖି ସାଇତି

ସମର୍ପଣ ତ୍ୟାଗ କର୍ତ୍ତବ୍ୟବୋଧର

ମଣ୍ଡନେ ରଚିଲ ଖ୍ୟାତି ।


ଜୀବନ ଯୌବନ କରି ସମର୍ପଣ

ଭାରତବାସୀଙ୍କ ପାଇଁ

ସତ୍ୟର ପୂଜାରୀ ହେ ନିର୍ଭୀକ ଯୋଗୀ

ନୀତି ଆଦର୍ଶ କୋଳେଇ

ଅଖଣ୍ଡ ଭାରତ ସ୍ବପ୍ନ

ନେତୃତ୍ବ ବଳରେ ସାଜି ରାଜନେତା 

ପୂରଣେ ରଖିଲ ଧ୍ୟାନ ।


ବରପୁତ୍ର ତୁମେ ଭାରତ ମାଟିର

ଜନସଙ୍ଘ ସଂସ୍ଥାପକ

କବି ପତ୍ରକାର ଅର୍ଜୁନ ପତ୍ରିକା

ପଞ୍ଚଜନ୍ୟ ସମ୍ପାଦକ

ଜଣେ ବି ବାଗ୍ମୀ ପ୍ରବକ୍ତା

ତ୍ରିବାର ପ୍ରଧାନମନ୍ତ୍ରୀ ପଦ ମଣ୍ଡି

ଜଣେ ବିଜ୍ଞ ରାଜନେତା ।


କାର୍ଗିଲ ଯୁଦ୍ଧରେ ଶତ୍ରୁ ପାକିସ୍ତାନ 

ମଥାନତ ତୁମ ପାଇଁ

ପୋଖରାନ ପରମାଣୁ ପରୀକ୍ଷାରେ 

ଶତ୍ରୁଙ୍କୁ ଦେଲ ଡରାଇ

ହେ ଯୋଗଜନ୍ମା ପୁରୁଷ

ବିଜ୍ଞାନ କ୍ଷେତ୍ରରେ ବଢ଼ାଇ ଗୁରୁତ୍ବ 

ବୋଳିଦେଲ ମୁଖେ ହସ ।


ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା

ପୁଣି ସ୍ବର୍ଣ୍ଣ ଚତୁର୍ଭୁଜ,

ଆଜି ଅଙ୍ଗେଅଙ୍ଗେ ଅନୁଭବ କରୁ

କେତେ ଥିଲା ତୁମ ତେଜ

ଭାରତ ଜନତା ପାର୍ଟି

ରାଜନୀତି ଦଳ ଗଢ଼ି ଜନତାଙ୍କ

ହୃଦୟ କଲ ଏକାଠି ।


ନିର୍ମାଣ ସଡ଼କ ପଥ ଲାହୋରକୁ

କହେ କୃତିତ୍ବର ଗାଥା 

ବୁଝାମଣା ତୁମ ଶତ୍ରୁକୁ ବି ମିତ୍ର

ଗଢ଼ିବାରେ ସାମରଥା

ହେ କରିତ୍କର୍ମା ବୀର

ସତ୍ୟନିଷ୍ଠ ତୁମ ଜୀବନ ଶଇଳୀ

ବଚନ ବଜ୍ର ଗମ୍ଭୀର ।


ଦେଶ ହିତ ପାଇଁ ନିଜକୁ ସମର୍ପି

ଥିଲ ମନ୍ତ୍ରୀ ବୈଦେଶିକ

ହିନ୍ଦୀରେ ଭାଷଣ ଜାତିସଂଘରେ 

ରଖିଲା ଭାରତ ଟେକ

ନିଃସ୍ବାର୍ଥପର ଜୀବନ

ଜ୍ୟୋତିଷ୍ମାନ ସମ ବିତରି ଆଲୋକ 

କର୍ମେ ତୁମେ ଭଗବାନ ।


ଉଣେଇଶ ଶହ ଚଉରାନବେରେ 

ଶ୍ରେଷ୍ଠ ସାଂସଦ ସମ୍ମାନ

ଦୁଇ ହଜାର ପନ୍ଦର ମସିହାରେ

ଭୂଷିତ ଭାରତରତ୍ନ 

କବିତା ଯେ ଏକାବନ

ପଦ୍ମବିଭୂଷଣ ପଦବୀକୁ ଲଭି

ସାରା ଦେଶେ ସନମାନ ।


ଛାଡ଼ିଗଲ ଧରା ଅଗଷ୍ଟ ଷୋହଳ

ଦୁଇ ହଜାର ଅଠର

କର୍ତ୍ତବ୍ୟ ପାଳନେ ଭୀଷ୍ମ ସମ ତୁମ

ପ୍ରତିଜ୍ଞା ଥିଲା ଅଟଳ

ଭୀଷ୍ମ ଆଖ୍ୟା ସେଥିପାଇଁ 

ଯୁଗପୁରରୁଷରେ ନାମକୁ ଲେଖାଇ

ଜୀବିତ ଭାରତ ଭୂଇଁ ।


ଶୁଭ ଜନ୍ମଦିନେ କରି ପ୍ରଣିପାତ

ମାଗୁଅଛୁ ଶୁଭାଶିଷ 

ଏ ଧରା ବକ୍ଷରେ ତୁମ ପରି କେହି

ଯେବେ ହୁଅନ୍ତେ ପ୍ରକାଶ

ବଢ଼ନ୍ତା ମନେ ସାହସ

ନବ ରୂପେ ସତେ ତୁମ ଆଗମନ

ବାଢ଼ି ଦିଅନ୍ତା ପୀୟୂଷ ।।



Rate this content
Log in

Similar oriya poem from Abstract