STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଉଜାଗର

ଉଜାଗର

1 min
154

ସାରା ରାତ୍ରୀ ଅନ୍ଧାରରେ ଉଜାଗର ରହି କାଟିବାଟା

ବାଧ୍ୟବାଧକତା ଅବା କେଉଁ ଗୋଟେ ନିଆରା ଖିଆଲ?

ଅବା ଯୌବନର ମତୁଆଲାପଣ ତାରୁଣ୍ୟର ଉଦ୍ଧାମତାରେ

ବିନିଦ୍ର ରଜନୀ ବିତାଇଦେବା ହୃଦୟ ତନ୍ତ୍ରୀର ଉଦବେଳନରେ।

କାଳେ ଏଇ ଉଜାଗର ରହିବାଟା ମସ୍ତବଡ଼ କଠୋର ସାଧନା

କାଉଁରୀ ତନ୍ତ୍ରର ନିଆଁ ଜାଳି କରିବାକୁ ପଡେ ଇଷ୍ଟ ଆରାଧନା

ରାତ୍ର ଉଜାଗର ରହିବାଟା ବି ଏତେ ସହଜ କଥା ନୁହେଁ

ଯେ କେହି ବି ଏମିତି ରହିଯିବ ଉଜାଗର ସମସ୍ତ ଅଷ୍ଟପ୍ରହର।

ତାହା ପୁଣି ବିନା ନିଶାର ସାହାରାରେ ନିସ୍ତବ୍ଧ ନିଶାର୍ଦ୍ଧରେ

ନିଶା ହିଁ ତ ଉପଲକ୍ଷ୍ଯ ମାଧ୍ୟମ ନିଶାରେ ଉଜାଗର ରହିବାର

ନିଶାଚର ସାଜି ଏକାନ୍ତ ଜୀବନ ଜୀଇଁବାର କସରତରେ

ଏମିତି ଅନେକ ରାତି କଟିଯାଏ ଅଚିନ୍ତ୍ୟ ଚିନ୍ତନରେ ଅନିଦ୍ରାରେ।

ଆକାଂକ୍ଷୀ ଆଖି ଯୋଡ଼ିକରେ ପଲକ ପଡିବ ବା କାହିଁ

ବିତାଇ ଦିଏ କେତେ ରାତି ଚାହିଁ ଚାହିଁ ଉଜାଗର ରହି

ବେହିସାବୀ ଖିଆଲି ମନର ନିଶା ମେଣ୍ଟେ ବିନିଦ୍ର ରଜନୀରେ

ସେଇ ମାଦକତା ସକାଳର ସୁନେଲି କିରଣରେ ବିଲକୁଲ ନାହିଁ।

"ସ୍ବପ୍ନ ଦେଖିବାକୁ ରାତି କାହିଁ?" ପ୍ରଶ୍ନ ଉଠେ ବାରମ୍ବାର

ଚଉପାଶରେ ଲୋକମୁଖରେ ମନ ଭିତରେ ଗୁମୁରି ଗୁମୁରି

ସତରେ କଣ ସ୍ବପ୍ନ ଦେଖିବାକୁ ରାତି ନିହାତି ଦରକାର?

ସ୍ବପ୍ନର ନାହିଁ ଆକାର ହେବ କି ଦୃଶ୍ୟମାନ ରାତିର ଅନ୍ଧାରରେ?

ସ୍ବପ୍ନ ତ ଦେଖାହୁଏ ଉଜାଗରରେ ଅହୋରାତ୍ର ଅନବରତ

ପ୍ରତି ମୁହୂର୍ତ୍ତରେ ଅଙ୍କିତ ହେଉଥାଏ ଚିତ୍ରପଟ୍ଟ ଅପଲକ ନେତ୍ରରେ

ସ୍ବପ୍ନ ଦେଖିବାକୁ କିନ୍ତୁ ସତ୍ ସାହାସ ନିହାତି ଦରକାର

ସାକାର ହେବ କି ବେକାର ସମୟ କରିବ ତା'ର ବିଚାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract