ଉଡୁଥାଉ ମହାପ୍ରଭୁ ପତିତପାବନ ନେତ
ଉଡୁଥାଉ ମହାପ୍ରଭୁ ପତିତପାବନ ନେତ
ତୁମେ ବିଶ୍ଵ ଚିନ୍ତାମଣି ଅନାଥର ନାଥ
କେଉଁ ଦୋଷେ ଦଣ୍ଡଦେଲ ଦୁଖୀର ସଙ୍ଗାତ, ହେ ।।
ତୁମରଥ ଭିଡା ପାଇଁ, ଗୁଣ୍ଡିଚା ଜାତକୁ ଯାଇ,
ଆଉତ ଫେରିଲେ ନାହିଁ;
ମଣିଷ ଗହଳି ଏତେ, ଛଟପଟ କଲ କେତେ,
ରଥ ଭିଜିବାକୁ ହାତେ,
ଯାଉ ଯାଉ ଅକସ୍ମାତେ;
ଅବେଳରେ କିଆଁ ପରାଣ ତାର ନେଇଗଲ ତ,
ତୁମେ ବିଶ୍ଵ ଚିନ୍ତାମଣି... ।।
ଆହାକି ଆନନ୍ଦ ମନେ, ରାତି ପାହୁ ପାହୁ କ୍ଷଣେ,
ଭକ୍ତ ଗଲା ପୁରସ୍ତମେ;
ଭାଇ ଭଉଣୀ ଙ୍କ ସଙ୍ଗେ, ବଡ ଦାଣ୍ଡେ ବଡରଙ୍ଗେ,
ଉଭା ହୋଇଥିଲ ତୁମେ,
ପ୍ରାଣ ଗଲା ଅଘଟଣେ;
ରଥ ଉପରୁ ଚକାଅଖି ତୁମ ଦେଖୁଥିଲା ତ,
ତୁମେ ବିଶ୍ଵ ଚିନ୍ତାମଣି...।।
ଘରେ ସେ ଭକ୍ତ ଘରଣୀ, ବାପ,ମା,ଭାଇ ଭଉଣୀ
ବସିଥିଲେ ବାଟ ଚାହିଁ;
ଲଗାଇଲ ତୁମ ଡୋରି, ତୁମକୁ ଭରଷା କରି,
ତୁଣ୍ଡ ବୋଲି ହରି ହରି,
ଯାଇଥିଲା ପରା ପୁରୀ;
ଏତେ ହୀନିମାନ ମହାପ୍ରଭୁ ହେ କିଆଁ କଲତ;
ତୁମେ ବିଶ୍ଵ ଚିନ୍ତାମଣି...।।
ଧନ୍ୟ ତୁମେ ଲୀଳାମୟ, ନଥିଲା ମରିବା ଭୟ
କିପାଇଁ ହେବ ସନ୍ଦେହ;
ଏହି ତୁମ ରଥ ଯାତ, ପ୍ରଭୁ ହେ ବିଶ୍ଵ ବିଖ୍ୟାତ
କିମ୍ପା ଘାତ ପ୍ରତିଘାତ,
ତୁମେ ଥାଉ ଥାଉ ନାଥ;
କି ଦୋଷ ଏମିତି କରିଲା ଅବା କହ କହତ,
ତୁମ ବିଶ୍ଵ ଚିନ୍ତାମଣି...।।
ତୁମ ମାୟା କିଏ ଜାଣେ, କିବା ଅଛି ତୁମ ମନେ
ବ୍ରହ୍ମା, ଶଙ୍କର ନଜାଣେ,
ପାପି ପାତକ ନାଶକ, ତେଣୁ ଏହି ରଥଯାତ
ଦେଖାଅହେ ମୁକ୍ତି ପଥ,
କରୁଥାଅ ଘୋଷଯାତ;
ଉଡୁଥାଉ ମହାପ୍ରଭୁ ପତିତପାବନ ନେତ,
ତୁମେ ବିଶ୍ଵ ଚିନ୍ତାମଣି...।।
