ଉଡାଣ
ଉଡାଣ
ଉଠ ଏବେ ନିଦ୍ରା ତେଜି
ମେଲି ଦେଖ ହୃଦୟ ଝରକା
ଆହ୍ଲାଦିତ ହୁଅ ଏବେ ସେପାଖର କୋଳାହଳରେ,
ଛିନ୍ନ କରି ଯେତେକ ବନ୍ଧନ
ଖୋଲି ଦେଇ ସଙ୍କୋଚର କଠୋର ଶିକୁଳି
ଭାଙ୍ଗିଦିଅ ତୁଛା ଯେତେ ମୋହର ପଞ୍ଜୁରୀ
ଉଡିବାକୁ ଡେଣା ସେକିନିଅ
ଆଶାର ଆଶାୟୀ ନିଆଁରେ।
ତୁଛା ମାନ ଅଭିମାନ ଇର୍ଷା ର ଜଞ୍ଜାଳ ଛାଡ଼ି
ଆକାଶର ଆଖି ଠାର ଦେଖ
କିଏ ବଡ଼ କିଏ ସାନ ସେସବୁ ପାଶୋରି
ବାଦଲର ଲୁଚକାଳି ଦେଖ
ଦେଖ ସେ ଜହ୍ନର ବୈଭବର ସହର
ଦେଖି ଆସିବା ଚାଲ ତାର ଶୀତୁଆ ବେପାର
ଡେଣାଝାଡ଼ି ଉଡ଼ିଯାଅ ଏବେ
ପାରୁନାହଁ ଯଦି କାହାଠୁ ନା କାହାଠୁ ବି ଶିଖ।
ଉଡ଼ିବା ହିଁ ଶ୍ରେୟସ୍କର ଏଠି
ବସି ରହିବା ତ ଏକ ଗଭୀର ଅନୁଶୋଚନାଟିଏ
ଛୁଇଁବା କି ନ ଛୁଇଁ ପାରିବା କଥା
ଭୁଲିଯାଅ ମନ ଚେତନାରୁ
ପାଇବା କି ନା ପାଇବା ଦ୍ଵନ୍ଦରେ ନ ପଡ଼ି
ଉଡିଚାଲ ଦୂର ଆକାଶକୁ
ଆଜି ନହେଲେ କାଲି ଭେଟ ହେବ
ସେ ନୀଳବର୍ଣ୍ଣ ଆକାଶ ସହିତ
ଦେଖିବ ନିଶ୍ଚୟ ଖୋଲିଯିବ ସ୍ୱତଃ
ବିସ୍ତାର ହେବାର ଅନିର୍ଦ୍ଦିଷ୍ଟ ପଥ।