STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ତୁଠ ପଥର

ତୁଠ ପଥର

1 min
303


ଦେଉଳ କାନ୍ଥର ପଥର ହେବାକୁ

ସପନ ଦେଖିବା ଚାହିଁନି କେବେ

ତୁଠ ପଥର ମୁଁ ତୁଠରେ ପଡ଼ିଛି

ଯେବେ ଦେଖୁଥିବ ପାଇବ ତେବେ।


ସରଗକୁ ସିଢ଼ି ବାନ୍ଧିବାକୁ ଇଚ୍ଛା

ହୁଏ ବେଳେ ବେଳେ ଆକାଶ ଦେଖି

ଜହ୍ନ ମାମୁଁ ଘର ତାରା ଫୁଲେ ସଜା

ଶୋଭା ଦେଖି ଆଖି ଯାଏ ବି ଲାଖି

ହେଲେ ଶାଳଗ୍ରାମ ହେବା ସଉଭାଗ୍ୟ

ସବୁ ଶିଳା ଲଭିପାରେ କି କେବେ ।


ଖିଲି ଖିଲି ହସ ଗ୍ରାମ ବଧୂ ପାଶ

ତୁନି ତୁନି କଥା ଟାହି ଟାପରା

ପହିଲି ରାତିର ରତି ପୀରତିର

ଆଶା ପିପାଷାର ନିଶା ଅସରା

ଅଳତା ମାଖା ସେ କୋମଳ ପାଦର

ଅଧିର କମ୍ପନ ଛୁଇଁଛି କେବେ ।


ନହୁଲୀ କାୟାର ମହୁଲିଆ ନିଶା

ଭଗ୍ନ କୋଣାରକ ନଗ୍ନ ମୂରତୀ

ସ୍ଥିର ନିର ଦରପଣ ବିମୋହିତ

ବିଲୋକି ବିରଳ ବିମୁଗ୍ଧ କୃତି

ମର୍ମାହତ ହୃଦ ଦହନେ ଦହିଛି

ଭାଙ୍ଗିଛି ବିଧବା ଶଙ୍ଖା ବି ଯେବେ ।


ଶୁଣିଛି ବନିତା ପତି ପ୍ରତାଡ଼ିତା

ଆତୁର କଣ୍ଠର କାତର ସ୍ୱର

ଦେଖିଛି କୋମଳ ଅଙ୍ଗେ ଅବଳାର

କାପୁରୁଷତାର ନିଷ୍ଠୁର ସ୍ବାକ୍ଷର

ନିରବ ଶିଥିଳ ଶୀତଳ ପରଶେ

ପୀଡ଼ା ଉପଶମ କରିଛି ଲବେ ।


ଆଜି ବି ପଡିଛି ତୁଠକୁ ଆବୋରି

ପରତ ପରତ ଶିଉଳି ତଳେ

ହସ ଲୁହ କୋହ ଏକାକାର ମୋହ

ଧୋଇ ଶୋଇଛି ମୁଁ ତଟିନୀ ତଳେ

କେବେ କେଉଁ ରାମ ନଥାପୁ ତା ପାଦ

ଅହଲ୍ୟା ହେବାକୁ ଚାହିଁନି କେବେ।


Rate this content
Log in

Similar oriya poem from Abstract