ତୁମରି ସ୍ନାହାନ
ତୁମରି ସ୍ନାହାନ


ଗୋପୀଙ୍କ ମେଳରେ ଯମୁନା ଜଳରେ
ଗାଧୋଉ ଥିଲି ମୁହିଁ
କି ଲାଭ ପାଇଲ ଲୁଗାକୁ ଉଠାଇ
କଦମ୍ବ ଡାଳରେ ଥୋଇ ।
ଗୋପଦାଣ୍ଡ ସାରା ବାଜିଲା ନାଗାରା
ଲାଜେ ଗଲା ମୁହଁ ନଇଁ
କେତେ ହନ୍ତ ସନ୍ତ ତୁମ ଲାଗି ନାଥ
ଟିକେ ତ ବୁଝିଲ ନାହିଁ
ଦୁନିଆ ଦେଖୁଛି ତୁମରି ସ୍ନାହାନ
କେମିତି ଲାଗୁଛି ସାଇଁ ।
ଛଳନା ତ କରି ହାତୀ ବେଶ ଧରି
ମୁହଁ ଦେଉଛ ଲୁଚାଇ
ସରମରେ ତୁମେ ନରମ ପଡିଛ
ଜ୍ୱର ର ବାହାନା ନେଇ
ଖୋଲିଥିଲ ଗାତ ପଡ଼ିଛ ନିଜେ ତ
କଲବଲ ହୁଅ କାହିଁ ।।