ରଖ ଦାରୁଘଟ
ରଖ ଦାରୁଘଟ
ମର୍ତ୍ତ୍ୟ ବଇକୁଣ୍ଠେ ବସି ଭୋକେ ଛଟପଟ
ନିରତେ ତୃଷାର୍ତ୍ତ ରହି ସୁରଧୁନୀ ତଟ |
କଳ୍ପବଟ ମୂଳେ ଥାଇ ବାଞ୍ଛା ଅପ୍ରକଟ
ସେନେହ ସରିତ ସ୍ନାତ ଶୁଷ୍କ ପିନ୍ଧାପଟ |
ଗ୍ରନ୍ଥାଗାରେ କର୍ମରତ ମୂରୁଖ ନିପଟ
ପ୍ରାଣ ପ୍ରଣୟିନୀ ଥାଉ ମଦନ ସଙ୍କଟ |
ପାଲଟେ ପିତଳ କରେ ଧରିଲେ ପୁରଟ
ମାଧବେ କୋକିଳ ସ୍ଥଳେ ଗାଉଛି କରଟ |
ଅଜ୍ଞାନ ମୁଣ୍ଡରେ ପାଟ ଜ୍ଞାନୀ ମୁଣ୍ଡେ ଜଟ
ବାଘ ଘରେ ଚାଲିଅଛି ମିରିଗ ଝଞ୍ଜଟ |
ସୁଖ-ଶାଖୀ ଶାଖା ଧରୁ ଭାଙ୍ଗେ ଚଟାପଟ
ଏକି ତୋ ବିଚାର ଧନ୍ୟ ଧନ୍ୟ ପୀତପଟ |
ଫଟା କପାଳକୁ ମୋର କରମ ଖର୍ବଟ
ଯାହା ଲେଖିଛି ବିଧାତା ମୋ ଲଲାଟପଟ |
ମୋ ଜୀବନ ପଛେ ନର୍କେ ହେଉ ଲଟପଟ
ଜଗତର ଦୁଃଖ ହର ବ୍ରହ୍ମାଣ୍ଡ ଆକଟ |
ଦାରୁଘଟ କଳ୍ପବଟ ବିଜେ ସିନ୍ଧୁ ତଟ
ନନ୍ଦଚାଟ ରସରାଟ ରମଣୀ ଲମ୍ପଟ |
ଅଘ କାଟ ଭବ ହାଟ ବଣିକ ନିପଟ
ବିରାଟ କରୁଣା କର ଜଗତେ ପ୍ରକଟ |
ହଟାଅ ବିଶ୍ଵରୁ ଘୋର କରୋନା ସଙ୍କଟ
ରସା ହେଉ ରସମୟ କଉସ୍ତୁଭ କଣ୍ଠ |
ହରିହାଟ ହରି ନାଟ ହରି ପାଠ ରଟ
ନୀଳକୂଟ ବଂଶୀବଟ କୁଞ୍ଜେ ମନାକଟ |
ପଢ଼ ଗୀତା ଭାଗବତ ନିରୂପି ନିର୍ଘଣ୍ଟ
ଏକମୁଖ ହୋଇ ଡାକ ଟଳିବ ସଙ୍କଟ |
ବେଳ ହେଲା ରତ ରତ ରଖ ଦାରୁଘଟ
କୃତାଞ୍ଜଳି ପୁଟେ ଜଗା ସ୍ମରେ ବିଶ୍ୱନଟ |
