ଚଉକାଠ
ଚଉକାଠ
ଆଗେ ଭାସୁଥିଲି
ଚମତ୍କାର
କଳ୍ପନାର ଇନ୍ଦ୍ରପୁରର
ବିଭୋର ପଣରେ
ସନ୍ଦେହ,ପ୍ରଶ୍ନ ଓ ତର୍କ ମାନଙ୍କର
ଆଖି ଇସାରାରେ
ବୟସର ଚକମକ ଗାଡ଼ିରେ।
ଏବେ କିନ୍ତୁ
ବୁଡୁଛି ମୁଁ ବେଶୀ ବେଶୀ
ପୂର୍ଣ୍ଣ ପୂର୍ଣ୍ଣ ଲାଗୁଥିବା
ଓଜନଦାର ଶୁନ୍ୟତାରେ
ଲାଗୁଛି
ଜୀବନଟା
ଏକ ପୁରୁଣା ଅଭ୍ୟାସର
ପୁନରାବୃତ୍ତି
ଅବା
ପୁର୍ନବିନ୍ୟାସରେ
ଗୋଟେ ଋତୁମତୀ ନାରୀ।
ଉଖାରି ହୋଇ ଯାଉଛି
ନିହାତି ବାସ୍ତବ ସତ୍ୟର ଘା
ଅବ୍ୟକ୍ତ ଭାବ ମୁଦ୍ରା
ଚହଲି ଯାଉଛି
ଅନ୍ତରଆତ୍ମାର ନିଃଶବ୍ଦ ଡାକ
ଫିଟି ଫିଟି ଆସୁଛି
ସୁନ୍ଦର ସମ୍ଭାବନା
ମୁଁ ଫେରୁଛି
ସେଇ ଦୁଆର ମୁହଁର
ଚଉକାଠ ପାଖକୁ।
ବୋଧ ହୁଏ
ଶେଷରୁ ଆରମ୍ଭ ହେଉଛି
ପରମ କାରୁଣିକ ସତ୍ତାର ଉପଲବ୍ଧି
ଦିବ୍ୟ ଚେତନାର ଝରଣା
ଆଖି କୋଣୁ ନିଗିଡି ଆସୁଛି
ଚୈତନ୍ୟକୁ ଜାବୁଡି ଧରି।