STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ତୋତେ ମୋର ରାଣ ଦେଲି

ତୋତେ ମୋର ରାଣ ଦେଲି

1 min
233

  ମଧୁର ହସରେ ମୁହଁଟି ସୁନ୍ଦର

     ଲୁହରେ ସେପରି ନୁହଁ

  କଟୁ କଥା କହି କାହାରି ଆଖିରେ

     ଦେବୁ ନାହିଁ କେବେ ଲୁହ ।।


  କେତେ ଭଲ ଲାଗେ ଧୀର ପବନରେ

       ଫୁଲ ଖେଳୁଥିଲେ ଦୋଳି

  ଦୂରରୁ ଦେଖିବୁ ଧାଇଁ ଯାଇ କେବେ

       ନେବୁ ନାହିଁ ତାକୁ ତୋଳି ।।


  ବାଟ କଡେ ଯେବେ ଗଛଟିଏ ଥାଏ

       ବାଟୋଇକି ମିଳେ ଛାଇ

  ଛାଇରେ ବସିବୁ କେବେ ହେଲେ ତାକୁ

       ହାଣି ଦେବୁ ନାହିଁ ଯାଇ ।।


  କେଡେ ମଜା ଆହା ଭାଇଭଉଣୀଏ

       ମିଶି ଖେଳୁଥିଲେ ଖେଳ

  ହେଲେ ହେଉ ଯାହା ରାଗି ରୁଷି କେବେ

       ଭାଙ୍ଗି ଦେବୁ ନାହିଁ ମେଳ ।।


  ଗୁରୁ ଗୁରୁଜନ ହିତ ଉପଦେଶ

       ଆଗକୁ ଦେଖାଏ ବାଟ

  ହେଲେ କେବେ ଦିନେ ହେବୁ ନାହିଁ ଗୁରୁ

       ହୋଇ ରହିଥିବୁ ଚାଟ ।।


  ଅନ୍ଧକାର ହଟେ ଆଲୋକ ବିତରି

        ଦୀପଟିଏ ଯେବେ ଜଳେ

  ଜଳାଇବୁ ପଛେ ଲିଭାଇବୁ ନାହିଁ

       କଦାଚିତେ କେତେବେଳେ ।।


  କାମିକା ହୋଇବୁ ଲୋକଟି ସେପରି

        ହୁଏ ନାହିଁ କେବେ ଦୁଃଖୀ

  ଅଳସୁଆ ହେଲେ ଦୁଃଖଟି ପାଇବୁ

       ହେବୁ ନାହିଁ କେବେ ସୁଖୀ ।।


  ବୁଝାଇ କହିଲି ଏତେ କଥା ଯେବେ

       କହିବି କହିବି ହେଲି

  କଥା ସବୁ କେବେ ଯିବୁ ନାହିଁ ଭୁଲି

       ତୋତେ ମୋର ରାଣ ଦେଲି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational