ତୁମେ
ତୁମେ
ତୁମେ ବୋଲି ଶବ୍ଦଟି ଆସିଗଲେ
ସାରା ଆକାଶର ପ୍ରତିଛବି
ଆଙ୍କି ହୋଇଯାଏ
ମୋ ହୃଦୟର ଆଲବମରେ
ବାରିଦରେ ଖେଳିଯାଏ
ମେଘର ମହ୍ଳାର
ପୂର୍ଣ୍ଣତା ଆସିଯାଏ ଜୀବନ ଧରିତ୍ରୀରେ
ଦୈନ୍ୟ ଐଶ୍ୱର୍ଯ୍ୟକୁ ନେଇ
ପ୍ରତିଟି ରେଣୁରେ ଭରପୁର
ହୋଇଯାଏ ପ୍ରାଣ ଶକ୍ତି।
ମନର ଫାଲଗୁନରେ ବୋହିଯାଏ
ମୃଦୁ ମୃଦୁ ମଳୟର ଗନ୍ଧ
ଉଦାର ସାଗରର ହୃଦୟ ପରି
ସୁଗଭୀର ଜୀବନ ହୋଇଥାଏ
ପ୍ରଶାନ୍ତ ନୀଳ ସବୁଜିମା
ଢେଉ ପରି ଉଦ୍ବେଳନ
ଭରପୁର ଯୌବନ
ଆତ୍ମୀୟତା ଅନନ୍ତ ଅତୁଳ
ଏହି ଶବ୍ଦ ପୂର୍ଣ୍ଣତା ପ୍ରାପ୍ତିର
ଦୁଇଟି ଆତ୍ମାର ଡାକରେ
ଆତ୍ମା ସହ ଆତ୍ମାର
ଓଠ ସହ ଓଠର
ବାହୁ ସହ ବାହୁର
ମିଳନର ଆଶାରେ
ତୁମେ ଶବ୍ଦ ସାର୍ଥକତାର
ପ୍ରେମ ପ୍ରତୀକ ରୂପରେ।