ତୁମେ ଯିବା ପରେ
ତୁମେ ଯିବା ପରେ
ତୁମେ ଯିବା ପରଠାରୁ
ମୋ ଫାଟକର ବତୀସବୁ
ମାତିଥାନ୍ତି କଳହରେ
ଏକ ରୀତିମତ ଯୋଜନାରେ
ଗଢି ତୋଳିବାକୁ ଅସହଯୋଗ
ମୋ ଅନମ୍ବର ସତ୍ତା ବିରୁଦ୍ଧରେ ।
ତୁମେ ଯିବା ପରେ ପରେ
ତିମିରର ତତଲା ମାଇଦାନରେ
ପସାପାଲି ଖେଳନ୍ତି ସ୍ମୃତି ସବୁ
ଅପେକ୍ଷାର ଅଜଗର ପାଟିରୁ
ଲହ ଲହ ହୋଇ ବାହାରି
ଏକଲା ପଣରେ କରିନିଅନ୍ତି କାବୁ ।
କ'ଣ ହେଇପାରେ ଏମାନଙ୍କର ଅସ୍ତ୍ର
ରେଳଷ୍ଟେସନର ଡ଼ାକବାଜି ଶବ୍ଦ
ବୁଲା କୁକୁର ଦଳର ଚିତ୍କାର
ଅବା ଲେଖିଥିବା କେଇଖଣ୍ଡ କବିତା
କାନ୍ଥରେ ଚିତ୍ରିତ ଫୁଲର ଚିତା
ନହେଲେ ଥାକ ଥାକ ଉପହାର ।
ଏ ଯୁଦ୍ଧରେ ମୁଁ ସମ୍ପୂର୍ଣ୍ଣ ନିରସ୍ତ୍ର
ଚକ୍ରବିହ୍ୟୁର ଅଭିମନ୍ୟୁ ପରି
ସମସ୍ତେ ଆପଣାରୁ ଆପଣାତର
ଚେତେଇବାକୁ ଅବିଶ୍ଵାସର ଖେଳ
ସମୟର ସମର କ୍ଷେତ୍ରରେ
ଏଠି କେହି ନୁହଁ କାହାର ।
