ତୁମେ ସଖୀ ତୁମେ ବନ୍ଧୁ
ତୁମେ ସଖୀ ତୁମେ ବନ୍ଧୁ
ସଖୀ କୁହ ଅବା ବନ୍ଧୁଟିଏ କୁହ
ସିଏ ତ ଜୀବନ ପଥ
ସଂପର୍କ ନଈର ଅଲୋଡା ତୁଠରେ
ଥାଏ ସଦା ଉପସ୍ଥିତ I
ବରଷାର ଧାରା ଆକାଶର ତାରା
ମନର ଅଭୁଲା ଗୀତି
ଜୀବନ ଯାତ୍ରାର ସୁଦୀର୍ଘ ସରଣୀ
ହୋଇପାରେ ସିଏ ସାଥୀ I
ପ୍ରେମ ପ୍ରଣୟର ଉଛୁଳା ସାଗର
ଚିତ୍ରରେ କୋଣାର୍କ ନଟୀ
ସହିବା ଗୁଣରେ ଅବର୍ଣ୍ଣନୀୟା ସେ
ଚିର ବନ୍ଦନୀୟା ମାଟି I
ଅଭିମାନ ତାର ବିଜୁଳିର ଛାଟ
ରାଗ ମେଘ ଘଡଘଡି
ମନତଳେ ତାର ଶତ ଫଗୁଣର
ରଙ୍ଗଭରା ପିଚିକାରୀ I
ବନ୍ଧୁର ପଥରେ ହାତ ଧରିନେଲେ
ଜଣା ପଡେନାହିଁ କ୍ଳାନ୍ତି
ତା ସଲ୍ଲଜ ମୁଖ ଦୂର କରିଦିଏ
ମନର ଅଜସ୍ର ଭ୍ରାନ୍ତି I
ଜୀବନର ପଥ ବହୁତ ବିଷମ
କେତେଖାଲ କେତେଖମା
ସଖୀ ପାଖେଥିଲେ ପାଖେପାଖେ ଥାଏ
ସରଗର ମଧୁରିମା I
