ତୁମେ ହିଁ ତୁମେ
ତୁମେ ହିଁ ତୁମେ
ତୁମେ ମୋ ସ୍ୱପ୍ନ ଉଦ୍ୟାନର
ଜୁଇ ଜାଇ ହେନା
ମୋ ମନ ଆକାଶର
ଇନ୍ରଧନୁର ସପ୍ତ ରଙ୍ଗ
ଦୂର ଦିଗବଳୟର
ଅସ୍ତଗାମୀ ଲୋହିତ ସୂର୍ଯ୍ୟ
ଦୂର ଦିଗନ୍ତର
ମେଞ୍ଚାଏ ପର୍ବତମାଳା
ତୁମେ ମୋ ତରଙ୍ଗାୟିତ
ବକ୍ଷର
ଅଗଣିତ ସ୍ପନ୍ଦନ
ମୋ ମାନସ ପଟର
ଚାରୁଚିତ୍ର ନାୟିକା
ତୁମେ ସୁନୀଳ ଆକାଶର
ରୂପେଲୀ ଜହ୍ନ
ତୁମେ ସଙ୍ଗୀତ ମୂର୍ଛନାର
ଆଦ୍ୟ ଅନ୍ତାକ୍ଷରୀ
ତୁମେ ସପ୍ତ ରାଗିଣୀର
ମଧୁର ସମାହାର
ଆଉ ତୁମେ
ଶରତ ନୀଳ ଆକାଶର
ନୀଳ ଜହ୍ନଟିଏ
ତୁମେ ଆକାଶରେ
ଭସା ବାଦଲର
ଲୁଚକାଳି ଖେଳ
ତୁମେ ଯେବେ ଆସ
କେରାଏ ମନ୍ଦ ସମୀରରେ
ମୋ ଓଠରେ ସୃଷ୍ଟି କର
କାହିଁ କେତେ ସ୍ମିତ ହାସ୍ୟ
ତୁମେ ମଳୟର ସ୍ପର୍ଶ
ତୁମେ ସୁଗନ୍ଧିତ ବାସ
ତୁମେ କୁଆଁର ପୁନେଇଁର ଜହ୍ନ
ତୁମେ ନୀଳ ସମ୍ମୋହନ
ତୁମେ ମେଘମାଳ
ତୁମେ ବର୍ଷାର ରାଗିଣୀ
ତୁମେ ପାହାଁତିଆ ଆକାଶର
ଉଜ୍ଜ୍ୱଳ ନକ୍ଷତ୍ର
ଯେବେ ତୁମେ ଆସ
ମୋର ସ୍ୱପ୍ନରେ
କାହିଁକି କେଜାଣି
ମୋର ଘରର ପ୍ରତିଟି
କୋଣ ଅନୁକୋଣ
ମହକିତ ହୋଇଯାଏ
ରଜନୀ ଗନ୍ଧାର
ମହ ମହ ବାସ୍ନାରେ।

