ମୌସୁମୀ
ମୌସୁମୀ
ଭାରି ଅଭିମାନୀ
ଆଷାଢୀ କନ୍ୟାଗୋ
ମୌସୁମୀ ତୁମ ନାମ
ଘନ କୃଷ୍ଣ କଳା
ବାଦଲ ଭିତରେ
ତୁମରଯେ ପାଦ ଚିହ୍ନ।
ଅମୃତ ପରଶ
ନେଇ ତୁମେ ଆସ
କାହିଁ କେଉଁ ଆଡୁ ପୁଣି
ଭିଜା ପଣତରେ
ଭିଜେଇତ ଦିଅ
ମୁକୁତାର ଏ ଧରଣୀ ।
ମୁକ୍ତ ଗଗନର
ବିଜନ ବେଳାରେ
ତୁମ ଆବିର୍ଭୂତ ହେଲା
ଧରଣୀ ବୁକୁରେ
ସୁଧାସମ ଏହି
ଅମୃତଯେ ବରଷିଲା ।
ସେ ଅମୃତ ପାଇ
ତରୁ ବୃକ୍ଷ ଲତା
ପଲ୍ଲବିତ ସେ ଯେ ହେଲେ
ସବୁଜିମା ଏହି
ଧରଣୀ ବକ୍ଷରେ
ନବ ଯଉବନ ନେଲେ।
ସୁପ୍ତ ଧରଣୀ
ଆନନ୍ଦିତ ଆଜି
ମଉସୁମୀ ଆଗମନେ
ଶୁଖିଲା ବକ୍ଷତା
ଚାହିଁ ବସିଅଛି
ସ୍ପନ୍ଦିତ ପ୍ରତି କ୍ଷଣେ।
ତୁମ ଆଗମନେ
ଚାଷୀ ଭାଇ ଆମ
ତତ୍ପରଯେ ହୋଇ ଗଲେ
ହର୍ଷିତ ମନରେ
ମାଟି ମା"କୋଳେ
ଚାଷ କାମ ଆରମ୍ଭିଲେ ।
ତୁମ ସେ ପରଶେ
ଜୀବ ଜଗତଟା
କେତେ ଆନନ୍ଦିତ ହେଲା
କାହିଁ କେତେ କାଳୁ
ଚାତକ ପରିସେ
ତୁମକୁ ତ ଚାହିଁ ଥିଲା।
ଶୁଷ୍କ ତଟିନୀର
ବାଲୁକା ସ୍ତୁପଯେ
ଧୀରେ ଧୀରେ ଲୁଚିଗଲା
ତଟିନୀ ବକ୍ଷଯେ
ତୁମରି ସ୍ପର୍ଶରେ
ପୂର୍ଣ୍ଣ ଗର୍ଭା ହୋଇ ଗଲା।
ତୁମ ଇତିହାସ
ମନେ ପଡିଗଲେ
ଭାରି ଭୟଭୀତ ଲାଗେ
ନଦୀ କୂଳିଆ
ଗରୀବ ଭାଇମୋ
ଛନକାରେ ସେତ ଜାଗେ।
ମୌସୁମୀଗୋ ତୁମ
ଅଭ୍ୟାଗମନେ
ମୟୂର ମନେ ଆନନ୍ଦ
ତୁମକୁ ସ୍ବାଗତ
କରିବା ପାଇଁ
କବିର ନଥାଏ ନିଦ।
