STORYMIRROR

Ajaya Mahala

Romance

3  

Ajaya Mahala

Romance

ତୁମେ ବି ଏମିତି ଫିଲ କର

ତୁମେ ବି ଏମିତି ଫିଲ କର

2 mins
158


ତୁମେ ବି ଏ ସବୁ ଫିଲ କର ?

ଯେବେ କାମ କରୁ କରୁ 

କାନ୍ଥର କୌଣସି ଅନିର୍ଦ୍ଦିଷ୍ଟ ବିନ୍ଦୁରେ

ମୋ ଦୃଷ୍ଟି ଲାଖିଯାଏ 

ପରିବା କାଟୁଥିବା ହାତ 

ମନ୍ଥର ହୋଇଯାଏ 

ତତଲା କଡେଇ ଉପରେ ଢ଼ାଙ୍କୁଣୀ 

ଘୋଡେଇ ସାରିବା ପରେ

ଭଜାରେ ବାମ୍ଫ ବୁଲୁ ବୁଲୁ 

ସେଠି ଠିଆ ହୋଇ 

କଅଣ କଅଣ କଣ ଭାବି ବସେ ମୁଁ ।


କଥା ହେଉଥିବା ଦୂରଭାଷ ଯନ୍ତ୍ରର

ମୁଁ ଏପଟେ 

ଆଉ ତୁମେ ସେପଟେ 

ମଝିରେ ସାତ ସମୁଦ୍ର ତେର ନଈ

ଆମେ କଥାରେ ଲୀନ ହେବା ମଝିରେ 

ଛିଡା ହୋଇଥାନ୍ତି ତାରତମ୍ୟ ଗୁଡିକର

ପାହାଡ଼ ସବୁ ।

ତୁମ ଦିନ, ମୋ ରାତି 

ମୋ ଶୀତ, ତୁମ ଝାଞ୍ଜି

କେବେ ଲାଗେ ଯେମିତି 

ଆମେ ଗୋଟିଏ କମ୍ବଳ ଭିତରେ

ଗୋଟେ ନୌକାରେ 

ନୀଳ ଆକାଶର ଖଣ୍ଡ ଖଣ୍ଡ 

ବାଦଲ ତଳେ

ଆଲାଦିନର ଉଡ଼ନ୍ତା ଗାଲିଚାରେ

କେବେ ଲାଗେ ଏଇ ପାଖରେ ଶୋଇଛ

ପୁଣି ଏଇ ନାହଁ

ତୁମେ ବି ଏମିତି ଫିଲ କର?


ତୁମେ ମନେ ପଡ଼

ମାଟି ଯେବେ ଚମକେଇ ଦିଏ

ମୋ ଅନଭ୍ୟସ୍ତ ହାତରେ 

ଧରିଥିବା ଫାଉଡାକୁ

କାଦୁଅରେ ଫୁଲଗଛ ରୋଉ ରୋଉ 

ଯେବେ ମୁହଁରେ 

କାଦୁଅ ନେସି ହୋଇଯାଏ

ଆଉ ମୁଁ ଅଲାଜୁକୀ ହସ ହସେ 

ଗୋଳିଆ ପାଣିରେ 

ନିଜ ମୁହଁ ଦେଖି 

ଗେଣ୍ଡୁ ଗଛର ନୂଆ ନୂଆ 

କଢ଼ରେ ଖୋଜେ ତୁମକୁ 

ଏପଟେ ମୋ ସହ ଘଟି ଯାଉଥିବା 

ଯେତେ ଯେତେ କଥା

ସତରେ ତୁମେ ଫିଲ କର ?

 

 

ତୁମେ ବି କଅଣ ଫିଲ କର

ସେତେ ଗଭୀରତା ବା ଉଚ୍ଚତା

ସେମିତି ଛାନିଆଁ

ସେମିତି ଖୁସି 

ସେମିତି ଗୁମୁରି ଗୁମୁରି କାନ୍ଦିବା

ସମସ୍ତ ଲୁହଙ୍କ ଜନ୍ମିବା ଆଉ ମରିଯିବା

ସମସ୍ତ ବେଦନାର ଟିକିନିଖି କଥା

ଯାହା କାହାକୁ କହି ହୁଏ ନାହିଁ ।


କେତେ ଚେଇଁ ରହେ

ତୁମେ ଶୋଇଗଲା ପରେ 

ତୁମ ବହୁତ ଉଠିବା ପୂର୍ବରୁ 

ଉଠି କାମରେ ଲାଗିଯାଏ

ତୁମେ ଦେଇଥିବା ପୁରୁଣା ମେସେଜ ସବୁ

କେତେ ଥର ପଢେ ।

ଗ୍ରୀଷ୍ମରେ ଆର୍ଦ୍ରତା ଖୋଜୁଥିବା 

ପିମ୍ପୁଡିଙ୍କ ପରି 

ତୁମ ମେସେଜରେ ଲାଖି ରହିଥିବା

ଭଲ ପାଉଥିବା ର ଚିହ୍ମ ଟିକକୁ 

ଅନୁଭବ କରିବାକୁ 

ତୁମେ କଣ ଠିକ ମୋ ପରି

ଅନୁଭବ କର ?


ମୋ ପେନସିଲ ଅଙ୍କା ଚିତ୍ରରେ 

କେତେ କମକୂଟ କରି ଥାଏ ତୁମ ପାଇଁ

ଅନୁଭବ କରେ 

ଆକାଶିଆ ଝୁଲାରେ

ଶୂନ୍ୟ ପୁରୁଷଟେ ହୋଇ 

ଗୋଟେଇ ନେଉଛ

ମୁଁ ଢାଳି ଦେଉଥିବା ଭୟମିଶ୍ରିତ ହସ

ତୁମେ ବି ଏପରି ଫିଲ କର ?


ଯେବେ ତୁମ ସାଇକେଲର 

ଆଗ ରଡ଼ରେ ବସି ରହି

ଗଡାଣି ରାସ୍ତାରେ ଚାଲୁଥାଏ

ଦୁଇ ପଟରେ ପଛକୁ ଦୌଡୁଥିବା

ନୀଳଗିରି ଜଙ୍ଗଲ

ବିନା ପେଡଲ ମାରି 

ମୋ ପଛେ ବସି

ମୋ ଜାଣତରେ ତୁମେ ଘ୍ରାଣ କର

ମୋ ଉଡିଯାଉଥିବା 

ଖିଅ ଖିଅ କେଶର ବାସ୍ନାକୁ

ସତରେ କେବେ ବି ଥରୁଟିଏ 

ତୁମକୁ ଏପରି ଲାଗେ ?


ସତରେ ତୁମେ ଅନୁଭବ କରିଛ କି 

ତୁମେ ନ ଥିବା ବସ୍ ଗୋଟାକର 

ପେଲି ହୋଇ ଆସୁଥିବା 

ନିରର୍ଥକ ଭିଡ ଭିତରେ 

ଯେବେ ମୁଁ ଅନୁଭବ କରେ 

ତୁମେ ସେଇଠି ଠିଆ ହୋଇଛ

ପ୍ରାଣପଣେ ସୁରକ୍ଷା ଦେଉଛ ମତେ

ଅଜଣା ମ୍ଳେଛ ପୁରୁଷଙ୍କ ସ୍ପର୍ଶରୁ

ବାହୁ ଘେରରେ ମତେ ରଖି ।



ଏହା ତୁମେ ଫିଲ କର ?

ମୋ ଢଳ ଢଳ ଲୁହରେ

କେତେ ଦୁଃଖ କେତେ ଖୁସି

ଭାସୁ ଥାଆନ୍ତି ଅହ ରହ

ତୁମକୁ ତଳୁ ଉପର ଯାଏଁ

ତନ୍ନ ତନ୍ନ କରି ଦେଖେ

ବଢି ଯାଇ ଥିବା ନଖକୁ କାଟିବାକୁ କହେ

ଦେଖି ବି ଦେଖେନା ତୁମକୁ

ସବୁ ଯାକ ତ ମୋର

ତୁମ ପାଖରେ ଥିବାର ଅନୁଭବ

ସବୁ କିଛି ମୋ ପାଇଁ

ତୁମର ଅସ୍ପଷ୍ଟ ଛବିଟିଏ ଛାତିରେ ଚାପି

ବାସ ଆଖି ବନ୍ଦ କରି ଦିଏ ।




Rate this content
Log in

Similar oriya poem from Romance