ନିଶିଗନ୍ଧା-୪
ନିଶିଗନ୍ଧା-୪
ସ୍ୱପ୍ନ ରାଇଜର ପ୍ରୀତି ସୌଦାଗର
ସପନ ବଣିକ ମୋର
ନିଶିର ବାନ୍ଧବ ଆଗୋ ନିଶିକାନ୍ତ
ପାଶୁ ହୁଅ ନାହିଁ ଦୂର।
ଆକାଶର ତାରା ମିଟି ମିଟି କରି
ଦେଖ ଦେଉଛନ୍ତି ହସି
ଲାଜରେ କଇଁଟା ସରମୀ ଯାଉଛି
ଆକାଶରେ ଦେଖି ଶଶି।
ଜୋଛନା ପଖଳା ଧରଣୀ ରାଣୀର
ବଧୂ ବେଶ ଦେଲେ ଦେଖି
ତନ୍ମୟେ ତଲିନ୍ନ ତନୁକୁ ମୋହର
ଆୟତ୍ତେ ହୁଏନା ରଖି।
ଆସ ତୋଳି ଦେବା ପ୍ରେମର ସଉଧ
ସାତରଙ୍ଗ ମାଖି ଦେହେ
ଭିଜା ରଜନୀରେ ମିଳନ ଶେଜରେ
ହଜିବା କାମନା ମୋହେ।
ଦେଖ ଭରିଅଛି ଦେହେ ମୋର ତାତି
ଅଭିସାର ରଚ ହସି
ତୁମରି ପରଶ ଭରିବ ହରଷ
ଯଉବନ ଦେବ ନିଶି।
ରୂପସୀ କାମିନୀ ମୁଁ ଯେ ଅନୁପମା
ସୁଧାମୟୀ ପ୍ରୀତି ସୁଧା
ବିରହ ଅନଳେ ଦେଖ ମୁଁ ଜଳୁଛି
ପ୍ରୀତିପୁଷ୍ପା ନିଶିଗନ୍ଧା।
ବେଦନା ବିଧୁର ବତୁରା ଜୀବନ
ମରୁ ମରିଚିକା ସମ
ନୀରବେ ନିରତେ ମୋ ପ୍ରେମ ତରଣୀ
ସାହାରା ଖୋଜଇ ତୁମ।

