STORYMIRROR

Jyochhna rani Devi

Romance

4  

Jyochhna rani Devi

Romance

ଝୁରେ ସେହି ଜହ୍ନରାତି

ଝୁରେ ସେହି ଜହ୍ନରାତି

1 min
170


ଝୁରେ ସେହି ଜହ୍ନରାତି

ଶୁଭ୍ର ଜୋଛନା ଝରି ଯାଉଥିଲା

 ଶୀତଳ ଚନ୍ଦ୍ରାତପ

ସାଥିରେ ଶୀତଳ ସମୀରଣ ଛୁଆଁ

ଲଗାଉଥିଲା ଯେ ଆମ ମନେ ନିଆଁ

ପ୍ରିୟତମ ଯେବେ ଥିଲ ତୁମେ ମୋର କତି

ଝୁରେ........।



ଝୁରେ ସେଇ ସଂଜବେଳ

ସହକାର ତଳେ ବସିଥିଲେ ଯେବେ

ଅଭୀପ୍ସା ଅଭିସାର

ମନତଳେ କେତେ ଉଙ୍କିମାରୁଥିଲା

କହିବାକୁ କଥା ଓଠ ଥରୁଥିଲା

ପ୍ରିୟତମ ଯେବେ ହେଉଥିଲେ ଆମେ ମେଳ

ଝୁର.............।



ଝୁରେ ସେଇ ନଈପଠା

କୋକିଳ କୁଜନ ଶୁଭୁଥିଲା ଦୂରେ

ତୁମ ସେ ବଂଶୀସ୍ଵନ

ଭରୁଥିଲା ପ୍ରୀତି ପ୍ରତିଟି ସ୍ପନ୍ଦନେ

ନେଉଥିଲ ଯେବେ ତୁମ ଆଲିଙ୍ଗନେ

ପ୍ରିୟତମ କହି କୁମୁଦ ପ୍ରଣୟ ଗାଥା 

ଝୁରେ..........।



ଝୁରେ ସେଇ କୁଞ୍ଜବନ

ବିଜନ ବେଳାରେ ଯାଇଛି ଯା'ବିତି

ମଧୁର ସ୍ମୃତିଗାଥା

ଅୟୁତ ଯୁଗର ମିଳନର ବିଥି

ସଜାଡି ରଚିବା ଆମ ପ୍ରୀତିପୋଥି

ପ୍ରିୟତମ ଆଜି ହଜିଗଲା ସେହି ମନ

ଝୁରେ.............।



ଝୁରେ ସେଇ ବେଳାଭୂମି

ବାଲୁକା ଶଯ୍ୟାରେ ଯାଇଛି ଯା'ହଜି

ଶାମୁକା ମୂକସାକ୍ଷୀ

ଆମ ବୁକୁ ପରେ ଲହଡିର ଡିଆଁ

ଚୂର୍ଣ୍ଣ କୁନ୍ତଳେ ମୋ ଅଙ୍ଗୁଳି ଛୁଆଁ

ପ୍ରିୟତମ ଯେବେ ଦେଉଥିଲ ମଥା ଚୁମି

ଝୁରେ..............।


ଝୁରେ ସେ ପାହାଡ କୋଳ

 ସୋରିଷ କ୍ଷେତର ସୁନାଫୁଲ ମାୟା

ମହୁଲ ଫୁଲ ବାସ୍ନା

ଘାରୁଥିଲା ଯେବେ ପରାଣେ ପୁଲକ

ଦେଖୁଥିଲି ବୁଲି ବିଭୋରେ ମୁଲକ

ପ୍ରିୟତମ ଆମେ ଖେଳୁଥିଲେ କେତେ ଖେଳ

ଝୁରେ...........।



ବୟସର ଅପରାହ୍ନେ

ଖୋଜୁଛି ଜୀଇଁବା ପାଇଁ ସେଇଦିନ

 ଭୁଲିବା ଝଡଝଞ୍ଜା

ଫେରାଇ ଆଣିବା ମୁକୁଳା ଜୀବନ

ଦଗ୍ଧ ହେଉ ପଛେ ପ୍ରୀତି ଉପବନ

ପ୍ରିୟତମ ଆଜି ହଜିବି ସ୍ମୃତି ବିତାନେ 

ବୟସର..........।




 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance