ଅନନ୍ୟା
ଅନନ୍ୟା
ତୁମେ କିଶୋରୀ ଖଜୁରି ରସ ପରି
ଖରା ପଡ଼ିଲେ ଲାଗୁଛ ବିଷ ପରି
ତୁମେ ଶିଶୁର ଓଠରେ ହସ ପରି
ପୁଣି ଅଣ୍ଡିରା ପୌଷ ମାସ ପରି ।
ତୁମେ ଶାମୁକା ଛାତିର ମୁକ୍ତା ପରି
ତୁମେ ମଧୂ ବର୍ଣ୍ଣବୋଧ ଯୁକ୍ତାକ୍ଷରୀ
ତୁମେ ଦାଦନ ଶ୍ରମିକ ହପ୍ତା ପରି
କେବେ ସତ୍ ସଂଗ ସଭାର ବକ୍ତାପରି ।
ତୁମେ ପାହାଡ଼ୀ କନ୍ୟାର ଗହଣା
ନବ କୁଆଁରୀ ଋତୁର ବାହନା
ପୁଣି ଚୁଲୁବୁଲି ବନ ଝରଣା
ଅଧା ହାତ ଲେଖା ଚିଠି ଠିକଣା ।
ତୁମେ ମରୁ ପଥିକର ଆଦ୍ୟ ଶୋଷ
ତୁମେ ଦୁର୍ବାସା ଋଷିର ଶେଷ ରୋଷ
ତୁମେ ବାଳିକା ବଧୂର ନିର୍ନିମେଷ
ତୁମେ ବିଧବା ସୀମନ୍ତେ ଦୂବ ଘାସ ।
ତୁମେ ପାହାନ୍ତି ପ୍ରହର କୁଆଁତାରା
ତୁମେ ଭୋଦୁଅ ମଧ୍ୟାହ୍ନ ଟାଣ ଖରା
ଅକ୍ଷି ତୃତୀୟା ପର ର ବାରି ଧାରା
ତୁମେ ପହିଲି ରଜର ବସୁନ୍ଧରା ।
ତୁମେ ଆଦ୍ୟ ମାତୃତ୍ବର କଷ କ୍ଷୀର
ବୁଢ଼ୀ ଜେଜେମା' ଥନର ଶୁଷ୍କ ଧାର
ତୁମେ ଅଫେରା ଯୌବନ ଜଉଘର
ମଧୂ ମକ୍ଷିକା ଥଣ୍ଟର ମଧୂ ଝର ।
ତୁମେ ଉଷାର ସୀମନ୍ତେ ନାଲି ଟୋପା
ଦୂର ଦିଗନ୍ତ ଛାତିର ରକ୍ତ ଛିଟା
ନିଛାଟିଆ ଖରାବେଳ ଆମ୍ବ ତୋଟା
ତୁମେ ଗୋଧୂଳି ଲଗନେ ନଈ ପଠା ।
ତୁମେ ବେଳାଭୂଇଁ ଝାଉଁବଣ ସ୍ବର
ଗାଆଁ ଶେଷ ନୂଆଁଣିଆ ଚାଳ ଘର
ନଈ ସେପାରି ଗାଆଁର ମଗୁଶିର
ତୁମେ ସପନ ଶେଷର ଅନୁସାର ।
ତୁମେ ଭଗ୍ନ ହୃଦୟର କବିତା
ତୁମେ ଶୀତ ସକାଳର ସବିତା
ମେଘେ ମେଖଳା ଗୋପନେ ସାଇତା
ତୁମେ ଅଣ୍ଟା ଭଙ୍ଗା ସରୁ ସରିତା ।
ତୁମେ ଅଜଣା ବାଟର ପାଦ ଚିହ୍ନ
ତୁମେ ଅଶିଣ ଆକାଶେ ରୂପା ଜହ୍ନ
ତୁମେ ଭୋକିଲା ପ୍ରସୂତି ଆଦ୍ୟ ଅର୍ଣ୍ଣ
ତୁମେ ଜୀବନ ବେଦର ଶେଷ ବର୍ଣ୍ଣ ।

