ଈଶ୍ୱରଙ୍କ ଦାନ
ଈଶ୍ୱରଙ୍କ ଦାନ


ଜାଣିଛି ମୁଁ ତୋତେ କେବେ ପାଇ ପାରିବିନି ।
ତଥାପି ମୁଁ ତୋତେ ଛାଡି ରହି ପାରିବିନି ।
କାହିଁକି ତୋତେ ସର୍ବଦା ଖୋଜେ ମୋର ମନ ।
ସେଥିପାଇଁ ଭାବେ ତୋତେ ଈଶ୍ୱରଙ୍କ ଦାନ ।୧।
ବିଚିତ୍ର ଏ ସୃଷ୍ଟି ଆଉ ବିଚିତ୍ର ତା ସ୍ରଷ୍ଟା
କାହିଁକି ଯେ ତୋତେ ମୋତେ ଗଢିଛି ବିଧାତା ।
ହୃଦୟରେ ଥାଇ କଟେ ବିଛେଦରେ ଦିନ
ସେଥିପାଇଁ ଭାବେ ତୋତେ ଈଶ୍ୱରଙ୍କ ଦାନ ।୨।
ଯାହାକୁ ଚାହେଁ ଏ ମନ ପାଇ ପାରେ ନାହିଁ
ଯାହାକୁ ସେ ପାଏ, ହୃଦେ ବାନ୍ଧି ପାରେ ନାହିଁ
ସବୁବେଳେ ଖୋଜେ ତୋତେ ମୋ ହୃଦ ସ୍ପନ୍ଦନ ।
ସେଥିପାଇଁ ଭାବେ ତୋତେ ଈଶ୍ୱରଙ୍କ ଦାନ ।୩।
ପ୍ରେମରେ ତୋ ରହିଥିଲା କେତେ ଯେ ଛଳନା ।
ହେଲୁ ତୁ ଆଉ କାହାର କରି ପ୍ରତାରଣା ।
ହେଲେ ମୋ ଆତ୍ମା କହେ ତୁ, ମୋଠାରୁ ଅଭିନ୍ନ ।
ସେଥିପାଇଁ ଭାବେ ତୋତେ ଈଶ୍ୱରଙ୍କ ଦାନ ।୪।