ତୁମେ ଆଦି ତୁମେ ଅନ୍ତ
ତୁମେ ଆଦି ତୁମେ ଅନ୍ତ
ତୁମେ ଆଦି ଅନ୍ତ ସୁଦୂର ଦିଗନ୍ତ
ତୁମେ ସୃଷ୍ଟିର ସ୍ୱାକ୍ଷର
ତୁମେ ପ୍ରକୃତିର ନିର୍ମଳ ନିନାଦ
ତୁମେ ଭୂମା ଓ ଭୂଧର।
ତୁମେ ଆଦି ଅନ୍ତ ସୁରମ୍ୟ ଦିଗନ୍ତ
ତୁମ କାରିଗରୀ କଳା
ତୁମେ ସଂସାରର ମୋହ ରଜ୍ଜୁ ପରା
ତୁମେ ବି ମୁକ୍ତି ମେଖଳା |
ନଶ୍ୱର ପ୍ରାଣର ଭାସ୍ୱର ସଂହିତା
ତୁମେ ଜୀବନ ସଂଗୀତ
ତୁମେ ଏ ସୃଷ୍ଟିର ମୂଳାଧାର ପୁଣି
ତୁମେ ବି ଧ୍ୱଂସ ର ସ୍ରୋତ |
ତୁମେ ଆଦି ଅନ୍ତ ହେ ଦିବ୍ୟ ଦିଗନ୍ତ
ତୁମେ ଋତୁ ସ୍ଵତନ୍ତ୍ରତା
ତୁମେ ଯୁଗଜ୍ୟାତି ଭାବର ବାରିଧି
ତୁମେ ତ ବିଶ୍ଵ ନିୟନ୍ତା ।
ତୁମେ ବିଭାବରୀ ଆଭାମୟ ଶିରୀ
ତୁମେ ମନ୍ତ୍ରମୁଗ୍ଧ ସ୍ତୋତ୍ର
ତୁମେ ଆଦି ଅନ୍ତ ଧ୍ୱଂସ ସ୍ତୁପ ମଧ୍ୟେ
ଆଶାର ନୂତନ ଗାତ୍ର ।
ତୁମେ ଆକାଶ ର ବର୍ଣ୍ଣବିଭା ଧାର
ତାରକା ଙ୍କ ବର୍ଣ୍ଣ ଝୋଟି
ତୁମେ ଜୋଛନାର ଶୀତଳ କିରଣ
ତୁମେ ଅମୂଲ୍ୟ କିରିଟୀ ।
ତୁମେ ଛଳ ଛଳ କଳ ନିନାଦିନୀ
ନଦୀର ଶୀତଳଧାରା
ତୁମେ ପାଷାଣର କଠିନ ଜଠରେ
କର୍ତ୍ତବ୍ୟ ସୂଚୀ ସଂଚ଼ାରା ।
ପ୍ରତ୍ୟୁଷ ପରବ ପୁଷ୍ପ ସୁଗନ୍ଧର
ତୁମେ ଭକ୍ତିମୟ ଧାରା
ଅନ୍ଧାର ରାତ୍ରୀର କାଳିମାରେ ତୁମେ
ଅନୁଭୂତି ସିକ୍ତ ଖରା ।
ତୁମେ ଅନ୍ତରୀକ୍ଷ ଅମୃତ ସୁଷମା
ତାଣ୍ଡବ ର ରଚୟିତା
ତୁମେ ସୃଷ୍ଟି ସ୍ଥିତି ବିଲୟ ସୀମାରେ
ସୁନ୍ଦର ଗୀତି କବିତା ।
ତୁମେ ହିଁ ସମ୍ଭବ ତୁମେ ଅସମ୍ଭବ
ଦାରୁ ଦେହେ ବ୍ରହ୍ମ ରୂପ
ତୁମେ ଶୈଶବର ନିର୍ମଳ ହସ ହେ
ତୁମେ ବାର୍ଦ୍ଧକ୍ୟର ଗପ ।
ତୁମେ ଏ ମନର ଅପୁରନ୍ତ ତ୍ୟାଗ
ତୁମେ ଅଟ ହର୍ତ୍ତା କର୍ତ୍ତା
ଜୀବ ଜଗତର ଅୟମାରମ୍ଭ ହେ
ତୁମେ ଯବନିକା ବାର୍ତ୍ତା ।
ତୁମେ ଅନୁରାଗ ତୁମେ ବି ବିରାଗ
ମାଧୁର୍ଯ୍ୟ ମଧୁର ଗାଥା
ତୁମେ ଧର୍ମ ଧର ଧର୍ମ ପାଇଁ ଲଢ
ଲେଖି ଦିଅ ପୁଣ୍ୟ ଗୀତା ।
ତୁମେ ଆଧ୍ୟାତ୍ମର ସୁଲଳିତ ଛନ୍ଦ
ଜୀବନ ସତ୍ୟ ସଂହିତା
ତୁମେ ଆଦି ଅନ୍ତ ହେ କମଳା କାନ୍ତ
ତୁମେ ତ ସୃଷ୍ଟି ନିୟନ୍ତା ।
ତୁମେ ସୃଷ୍ଟି ସ୍ଥିତି ବିଲୟର ଫକ୍ତି
ତୁମେ ଅମୃତ ଇସାରା
ତୁମେ ଏ ସୃଷ୍ଟିର ପ୍ରୀତିମୟ ଗୀତା
ଦିଅ ବି ଯୁଦ୍ଧ ଡାକରା ।
ମନ ମାନସ ର ସ୍ମୃତିର ବାଟିକା
ତୁମେ ପୁଣ୍ୟ ମୋକ୍ଷ ଦ୍ଵାର
ତୁମେ ଏ ସୃଷ୍ଟିର ଅମୀୟ ଭାବନା
ତୁମେ ଦକ୍ଷ କାରିଗର |
ତୁମେ ପ୍ରକାଶର ଜ୍ୟୋତିିର୍ମୟ ଆଭା
ବିଲୟର ବିଭିଷୀକା
ତୁମେ ଆଧ୍ୟାତ୍ମ ର ସୁରମ୍ୟ ପ୍ରକାଶ
ତୁମେ ଆତ୍ମାରାମ ଏକା |
ତୁମେ ଆଦି ତୁମେ ଅନ୍ତ ହେ କେଶବ
କମଳା ଙ୍କ ପ୍ରିୟବର
କମଳା କାନ୍ତ ହେ ଅନ୍ତହୀନ ତୁମେ
ପ୍ରତି ଯୁଗେ ଅବତାର ।
