ତୁମ ପ୍ରୀତି ହିଁ ପୀୟୂଷ
ତୁମ ପ୍ରୀତି ହିଁ ପୀୟୂଷ
ପୂରୁବ ଆକାଶେ ତପନ ଉଇଁଲେ
ତୁମ ମୁହଁ ଯାଏ ଲୁଚି !
ନିଜେ ତ ଚନ୍ଦ୍ରମା ଅନ୍ତରୀକ୍ଷ-ବାମା
ତୁମ ଆଗେ ତୁଚ୍ଛ ପ୍ରାଚୀ !!
ତୁମ ଆର୍ଦ୍ରତାରେ ଊର୍ଦ୍ଧ୍ଵ ବିକଶିତ
ତାରା ପୁଷ୍ପ ତରୁଲତା !
ସକଳେ ତୁମର ସାଥୀ ପ୍ରିୟତମା
ତୁମେ ତାଙ୍କରି ପ୍ରଣୀତା !!
ପ୍ରାଚୀ ବି ବିଚିତ୍ର କେବେ ଉଦ୍ଭାସିତ
କେବେ ଅର୍ଦ୍ଧ-ଉଦ୍ଭାସିତ
ପ୍ରତୀଚୀ ଗଗନ ତୁମ ଅନ୍ତରୀକ୍ଷେ
ସଦାସୁନ୍ଦରୀ ପ୍ରତୀତ !
ସୁନ୍ଦରୀ କୋଳରେ ଅସୁନ୍ଦରତା ବି
ଦିଶେ ସୁନ୍ଦରଶାଳିନୀ
କୁହ ତାହାହେଲେ କାହିଁକି ତୁମକୁ
ଅନ୍ଧାରେ ମୁଁ ଖୋଜିବିନି ?
ମୋ' ପାଇଁ ଅନ୍ଧାର ଯେତେ ନିଦାରୁଣ
ଆଲୋକ ସେତେ ଦୟାଳୁ !
ତୁମ ଉପସ୍ଥିତି ରଙ୍ଗ ଭରିଦିଏ
ହୋଇ ମହତ କୃପାଳୁ !!
ଅନ୍ଧାରି ଅଙ୍କରେ ତୁମ ଚିତ୍ରପଟ
ଦିଶେ ଆହୁରି ମୃଣ୍ମୟୀ !
ଆଗୋ ଚନ୍ଦ୍ରକଳା ! ଚାନ୍ଦିନୀ ଚଞ୍ଚଳା
ଚାରୁହାସିନୀ ଚିନ୍ମୟୀ !!
ମେଘର ଦେହରେ ଲୁଚିଯାଅ ସିନା
କଳ୍ପନାରେ ଉଙ୍କିମାର !
ପ୍ରିୟତମ ପାଇଁ ତୁମ ପଣତରେ
ପ୍ରୀତି ପ୍ରସାର ଅପାର !!
ମଉନବ୍ରତରେ ମିଠା ସ୍ୱପ୍ନ ଦିଅ
ସ୍ୱପ୍ନକୁ ଝୁରିବି ନାହିଁ !
ସ୍ୱପ୍ନଠାରୁ ତୁମେ ଅଧିକ ସ୍ୱପ୍ନିଳ
ତୁମରି ବିକଳ୍ପ କାହିଁ !!
ପ୍ରଣୟିନୀ ବୋଲି କହି ପାରିବିନି
ନାହିଁ ସେଇ ଅଧିକାର
ଅଧିକାର ଏକ ସାମ୍ବିଧାନିକତା
ମୁଁ ତୁମ ମାତ୍ର ସ୍ୱାକ୍ଷର !!
ସ୍ୱାକ୍ଷରରେ ଯେବେ ଆସେ ହସ୍ତାକ୍ଷର
ଅକ୍ଷରେ ଲାଗେ ଅଙ୍କୁଶ !
ତଥାପି ହୁଏନି ବାଟବଣା କେବେ
ତୁମ ପ୍ରୀତି ହିଁ ପୀୟୂଷ !!
ପୀୟୂଷପତ୍ରରେ ପଦ୍ମଚିତ୍ର ଆଙ୍କି
ତୁମକୁ ମୁଁ କଳ୍ପୁଥିବି !
ସେଇ କଳ୍ପନାର କାବ୍ୟିକ ସ୍ରୋତରେ
ହଜୁଥିବି ଖୋଜୁଥିବି !!
ଖୋଜିବା ମୋହର ପ୍ରମୁଖ କର୍ତ୍ତବ୍ୟ
ହଜିବା ତୁମରି ଧର୍ମ !
ହଜୁ ହଜୁ ଯଦି ପାଇଯିବି ପ୍ରିୟା !
ଭାବିବି ତାହା ମୋ' କର୍ମ !!
ନ ପାଇବି ଯଦି ଦୁଃଖ କରିବିନି
ଦୁଃଖ ତ ଦୁଇଦିନିଆ !
ଦୂରେ ଥାଇ ତୁମେ ନିଜର ଲାଗୁଛ
ମୁଁ ବି ଅଢେଇଦିନିଆ !!
ତୁମେ ମୋ' ଜୋଛନା ମୁଁ ତୁମ ପ୍ରେରଣା
ରଜନୀର ଅନ୍ତରାଳେ
ମିଳନ ବିଚ୍ଛେଦ ଉଭୟଙ୍କୁ ନେଇ
ବଞ୍ଚିବି ମୁଁ କୂତୁହଳେ !!

