STORYMIRROR

Hrushikesh Satpathy

Romance Inspirational

3  

Hrushikesh Satpathy

Romance Inspirational

ତୁମ ପ୍ରୀତି ହିଁ ପୀୟୂଷ

ତୁମ ପ୍ରୀତି ହିଁ ପୀୟୂଷ

1 min
166


ପୂରୁବ ଆକାଶେ ତପନ ଉଇଁଲେ

ତୁମ ମୁହଁ ଯାଏ ଲୁଚି !

ନିଜେ ତ ଚନ୍ଦ୍ରମା  ଅନ୍ତରୀକ୍ଷ-ବାମା  

ତୁମ ଆଗେ ତୁଚ୍ଛ ପ୍ରାଚୀ !!


ତୁମ ଆର୍ଦ୍ରତାରେ ଊର୍ଦ୍ଧ୍ଵ ବିକଶିତ

ତାରା ପୁଷ୍ପ ତରୁଲତା !

ସକଳେ ତୁମର ସାଥୀ ପ୍ରିୟତମା

ତୁମେ ତାଙ୍କରି ପ୍ରଣୀତା !!


ପ୍ରାଚୀ ବି ବିଚିତ୍ର କେବେ ଉଦ୍ଭାସିତ

କେବେ ଅର୍ଦ୍ଧ-ଉଦ୍ଭାସିତ  

ପ୍ରତୀଚୀ ଗଗନ ତୁମ ଅନ୍ତରୀକ୍ଷେ

ସଦାସୁନ୍ଦରୀ ପ୍ରତୀତ !


ସୁନ୍ଦରୀ କୋଳରେ ଅସୁନ୍ଦରତା ବି

ଦିଶେ ସୁନ୍ଦରଶାଳିନୀ  

କୁହ ତାହାହେଲେ କାହିଁକି ତୁମକୁ

ଅନ୍ଧାରେ ମୁଁ ଖୋଜିବିନି ?


ମୋ' ପାଇଁ ଅନ୍ଧାର ଯେତେ ନିଦାରୁଣ  

ଆଲୋକ ସେତେ ଦୟାଳୁ !

ତୁମ ଉପସ୍ଥିତି ରଙ୍ଗ ଭରିଦିଏ

ହୋଇ ମହତ  କୃପାଳୁ !!


ଅନ୍ଧାରି ଅଙ୍କରେ ତୁମ ଚିତ୍ରପଟ

ଦିଶେ ଆହୁରି ମୃଣ୍ମୟୀ !

ଆଗୋ ଚନ୍ଦ୍ରକଳା ! ଚାନ୍ଦିନୀ  ଚଞ୍ଚଳା  

ଚାରୁହାସିନୀ  ଚିନ୍ମୟୀ !!


ମେଘର ଦେହରେ ଲୁଚିଯାଅ ସିନା

କଳ୍ପନାରେ ଉଙ୍କିମାର !

ପ୍ରିୟତମ ପାଇଁ ତୁମ ପଣତରେ

ପ୍ରୀତି ପ୍ରସାର ଅପାର !!


ମଉନବ୍ରତରେ ମିଠା ସ୍ୱପ୍ନ ଦିଅ  

ସ୍ୱପ୍ନକୁ ଝୁରିବି ନାହିଁ !

ସ୍ୱପ୍ନଠାରୁ ତୁମେ ଅଧିକ ସ୍ୱପ୍ନିଳ

ତୁମରି ବିକଳ୍ପ କାହିଁ !!


ପ୍ରଣୟିନୀ ବୋଲି କହି ପାରିବିନି  

ନାହିଁ ସେଇ ଅଧିକାର  

ଅଧିକାର ଏକ ସାମ୍ବିଧାନିକତା

ମୁଁ ତୁମ ମାତ୍ର ସ୍ୱାକ୍ଷର !!


ସ୍ୱାକ୍ଷରରେ ଯେବେ ଆସେ ହସ୍ତାକ୍ଷର  

ଅକ୍ଷରେ ଲାଗେ ଅଙ୍କୁଶ !

ତଥାପି ହୁଏନି ବାଟବଣା କେବେ  

ତୁମ ପ୍ରୀତି ହିଁ ପୀୟୂଷ !!


ପୀୟୂଷପତ୍ରରେ ପଦ୍ମଚିତ୍ର ଆଙ୍କି  

ତୁମକୁ ମୁଁ କଳ୍ପୁଥିବି !

ସେଇ କଳ୍ପନାର କାବ୍ୟିକ ସ୍ରୋତରେ

ହଜୁଥିବି ଖୋଜୁଥିବି !!


ଖୋଜିବା ମୋହର ପ୍ରମୁଖ କର୍ତ୍ତବ୍ୟ

ହଜିବା ତୁମରି ଧର୍ମ !

ହଜୁ ହଜୁ ଯଦି ପାଇଯିବି  ପ୍ରିୟା !

ଭାବିବି  ତାହା ମୋ' କର୍ମ !!


ନ ପାଇବି ଯଦି  ଦୁଃଖ କରିବିନି 

ଦୁଃଖ ତ ଦୁଇଦିନିଆ !

ଦୂରେ ଥାଇ ତୁମେ ନିଜର ଲାଗୁଛ

ମୁଁ ବି ଅଢେଇଦିନିଆ !!


ତୁମେ ମୋ' ଜୋଛନା  ମୁଁ ତୁମ ପ୍ରେରଣା 

ରଜନୀର ଅନ୍ତରାଳେ  

ମିଳନ ବିଚ୍ଛେଦ ଉଭୟଙ୍କୁ ନେଇ

ବଞ୍ଚିବି ମୁଁ କୂତୁହଳେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance