ତୁମ ପାଇଁ
ତୁମ ପାଇଁ
ହେଲୁ ହନ୍ତସନ୍ତ ଡହଳ ବିକଳ ହେ କରୋନା ! ତୁମ ପାଇଁ
ଖେଳିଗଲା ହା ହା କାର ଚଉଦିଗେ ଭାଇକୁ ନ ଚାହେଁ ଭାଇ l
ଗରୀବକୁ କଲ ଆହୁରି ଗରୀବ ଧନୀ ଲୋଟେ ଭୂମି ପରେ
ସମାଜ ସମ୍ପର୍କ ସବୁ ଲାଗେ ତୁଚ୍ଛ, ବନ୍ଧୁ ଦେଖି ବନ୍ଧୁ ଡରେ l
ରାଜ ରାସ୍ତା ପରେ ଚାଲଇ ଶଗଡ଼ ନ ଉଡେ ଟିକିଏ ଧୂଳି
ବିଦେଶୀ ଝୁରଇ ଜନମ ମାଟିକୁ ସ୍ବଦେଶୀ ହେଉଛି ଭାଳି l
କ୍ଷୀର ଟୋପେପାଇଁ କାନ୍ଦୁଅଛି ଛୁଆ କ୍ଷୀର ଢାଳେ ଚାଷୀ ପୁଅ
ପରିବା ସଢୁଛି ବାଡ଼ି ବଗିଚାରେ ଖଟିଖିଆ ମନେ କୋହ l
ସମାଜର ଯେତେ ନୀତି ନିୟମକୁ ଭାବିଲୁ ଅନ୍ଧବିଶ୍ୱାସ
ନିଜ ପାଇଁ ନିଜେ ହୋଇଲୁ ଅଛୁଆଁ ବିଧିର କି ପରିହାସ?
ଅନେକ ଶିକ୍ଷା ତ ପାଇଲୁ ସଭିଏଁ ଏବେ ଯାଅ ଅପସରି
ଏତିକି ମିନତି କାଳିଆ ସାଆନ୍ତ ! ଝରାଅ କରୁଣା ବାରି l
