ତୁମ କଥା ମନେ ପଡେ
ତୁମ କଥା ମନେ ପଡେ
ତୁମ କଥା ଭାରି ମନେ ପଡେ ମାଆ
ବିପଦେ ପଡଇ ଯେବେ
ତୁମ ଠାରୁ ବେଶୀ ମୋ ପାଇଁ ବ୍ୟାକୁଳ
ଆଉ ଅବା କିଏ ଭବେ
ଅସୁସ୍ଥ ହୋଇଲେ ଭୋକ ଯାଅ ଭୁଲି
ମୋ ସେବାରେ ଲାଗି ଥାଅ
ନିଷ୍କଣ୍ଟକ ହେଉ ମୋର ସବୁ ଦିନ
ପ୍ରାର୍ଥନା ହିଁ କରୁଥାଅ
ଝିଅ ଜନମ ଟା ପର ଘର ପାଇଁ
ତେଣୁ ସିନା କଲ ଦୂର
ତଥାପି ମୋ କଥା ମନ ତଳ ବ୍ୟଥା
ବୁଝୁଥାଅ ବାର ବାର
ମୁଁ ଜାଣେ ତୁମର ନୟନ ପିତୁଳା
ତୁମ ପ୍ରାଣ ପ୍ରାୟ ମୁହିଁ
ବିବଶ ହୋଇଲ ଶାଶୁଘରେ ଦେଲ
ମନ ତୁମ ବୁଝେ ନାହିଁ
ଅଲିଅଳି ତୁମ ସଂସାରର ଦାଉ
କେମିତି ସହୁଛି ସତେ
ବାର ବାର ତୁମେ ପଚାରି ବୁଝି ବି
ବିଚଳିତ କାହିଁ ଏତେ
ତମ କୋଳ ମାଆ ମନେ ପଡିଗଲେ
ଗୁମୁରି ଗୁମୁରି କାନ୍ଦେ
ଲୋକହସା କାଳେ ହେବି ବୋଲି ଭାବି
ଲୁହ ପିଇ ଯାଏ ବୋଧେ
ଦେହେ ପୀଡା ଥିଲେ ତମ ସେବା ଯତ୍ନ
ବ୍ୟାକୁଳତା ଭରା ମୁଖ
ମନେ ପଡ ମାଆ କାହିଁକି ଏଯାଏଁ
ଝୁରି ପାଏ ମନେ ଦୁଃଖ
ଯେଝା ସୁଖେ ଦୁଃଖେ ସଂସାରରେ ବ୍ୟସ୍ତ
ଭିନ୍ନ ହେଲା ଆମ ବାସ
ତଥାପି ତୁମକୁ ପାଖେ ପାଇବାକୁ
ମନେ କାହିଁ ଅବଶୋଷ
ତୁମ ଋଣ ମାଆ ସୁଝି ପାରିବିନି
ଶହେ ଜନମ ପାଇଲେ
ତୁମ ମୋହ ମନୁ ଭୁଲି ନ ପାରିବି
ଜୀବନ ବି ଚାଲିଗଲେ