STORYMIRROR

Hrushikesh Satpathy

Abstract

2  

Hrushikesh Satpathy

Abstract

ତୁମ କଳ୍ପନାର ଦୁଇଧାଡି

ତୁମ କଳ୍ପନାର ଦୁଇଧାଡି

1 min
155

ତୁମେ କହିଥିଲ ତୁମ କଳ୍ପନାରେ

   ଲେଖିବାକୁ ଦୁଇଧାଡ଼ି,

ଲେଖିବି ଲେଖିବି ଭାବୁଥିଲି ସତ

   ପାରୁ ନଥିଲି ସଜାଡି


ସଜାଡ଼ିବା କଣ ଏତେ ସହଜିଆ

    ତୁମ ସ୍ୱପ୍ନିଳ ଛଟାକୁ,

ଲକ୍ଷେ ପ୍ରଜାପତି ଶତ ଇନ୍ଦ୍ରଧନୁ

   ରଙ୍ଗେ ଦିଶନ୍ତି ତ୍ରିଶଙ୍କୁ


ବର୍ଣ୍ଣିବାକୁ ତୁମ ବର୍ଣ୍ଣିଳ ଚାହାଣି

   ଶବ୍ଦମାନେ ସଂଭ୍ରମରେ,

ମୃଦୁ ସଙ୍କୁଚିତ ,ଲଜ୍ଜା ଜର୍ଜରିତ

   ତୁମ ନମ୍ର ଇସାରାରେ


ତୁମ ବାସ୍ତବତା ଅନୁଭବ ଅର୍ଘ୍ୟ

   ସ୍ମୃତି ତୁମେ ଶୁଭସ୍ମିତା,

ରୀତିରେ ରୀତିରେ ମୃଣ୍ମୟୀ ପ୍ରଣୟୀ

   ହୃଦ ଦର୍ପଣ ସୁସ୍ମିତା


କଳା ବଉଦକୁ ପରାଜିତ କରେ

   ତୁମ କହ୍ଳାର କବରୀ,

ନେତ୍ର ଭ୍ରୁକୁଞ୍ଚିତ କୌମୁଦୀ କିଞ୍ଚିତ

   କୃଷ୍ଣାଶ୍ରୀ,ତୃଷ୍ଣା ଶର୍ବରୀ


ଔଚିତ୍ୟରେ ସୂକ୍ଷ୍ମ ଔଜଲ୍ୟରେ ନିମ୍ନ

   ହୁଏତ ମୋ' ପରିଭାଷା,

ତଥାପି ତୁମକୁ  ବର୍ଣ୍ଣିବା ବେଳକୁ

   ମୋ' ବର୍ଣ୍ଣନା ଅଙ୍କକଷା


କବିତା ପୃଷ୍ଠାରୁ  ତୁମକୁ ପାଇଛି

   ସତେ ସ୍ୱୟଂ ସରସ୍ୱତୀ,

କବିତା ଭିତରେ ସାଇତି ରଖିବି

   କରି କାବ୍ୟ ପ୍ରଜାପତି


କବି ସିନା ତା'ର କାବ୍ୟ ଜଗତରେ

   ତୋଳେ କଳ୍ପନା ମନ୍ଦିର,

ତୁମ ମନ୍ଦିର ଯେ ସ୍ୱର୍ଗ ସ୍ବପ୍ନ ପୁରୀ

   ପ୍ରତିଛବି ସୌନ୍ଦର୍ଯ୍ୟର


ଉତ୍କଣ୍ଠାର ଉଷ୍ମ ଅନନ୍ୟା ଉର୍ବଶୀ

   ନାମ ଥାଇ ଅନାମିକା,

ଖୁସି ବାଣ୍ଟୁ ବାଣ୍ଟୁ ହସ ଶୁଖିଯାଏ

   ଅମ୍ଳାନ ଗୋ,ଅବନ୍ତିକା


ହେ କଳ୍ପ ସୁନ୍ଦରୀ ରହିଥାଅ ଘେରି

   ମୋ' କଳ୍ପନା ଜଗତକୁ,

ପିଇ ଯାଉଥାଅ ନୀରବେ ନୀରବେ

   ମୋ' ଶବ୍ଦ ମିଠାପଣକୁ


ଲେଖି ଚାଲିଥିବି ତୁମ କଳ୍ପନାରେ

   କବିତା ପରେ କବିତା,

ତୁମ ଇସାରାରେ ମୋ' କବିତା ସବୁ

   ହୋଇବେ ଜଗତଜିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract