STORYMIRROR

Lipika Mahapatra

Romance

4  

Lipika Mahapatra

Romance

ତୁମ ଗାଁ

ତୁମ ଗାଁ

1 min
245


ସୁବର୍ଣ୍ଣ କିରଣ ଝରାଉଥିଲା ସେ

ସୁରୁଜ ଆଶା ମୁରୁଜକୁ ବୁଣି

ମୋ ଅନ୍ତର ଶିଖା ଦୀପ୍ତିମନ୍ତ ହୋଇ

ମିଶି ମିଶେଇଲା ତୋ ହୃଦେ ପୁଣି ।

ଚମକାଇ ତୋର ଗାଁ ଆକାଶ

ଦହକାଇ ଦେହ ପ୍ରାଣ ଅଶେଷ

ତୋ ହୃଦ କୋଣରେ ମୋର ପ୍ରବେଶ

ସ୍ମୃତି ଦିଏ ଅତୀତର ଆଭାସ ।

ନିଦାଘେ ନଦୀଜଳ ଉତ୍ତପ୍ତ ଉପରେ

ଶୀତଳ ଅନ୍ତରେ ମର୍ମ ତରଳେ

ସୁଲୁସୁଲୁ ବାଆ ଶିହରଣ ତୋଳେ

ବନାନୀ ହସେ ସେ ପର୍ଣ୍ଣ ଝାଉଁଳେ ।

ହସୁଥାଏ ତୋର ଗାଁ'ର ଛାତି

କଦମ୍ବ ମଲ୍ଲୀ ହେନାର ରାଜୁତି

ଚାଳିତଳେ ଚୁଲି ଉଷ୍ମତା ଛାଡେ

ସ୍ବପ୍ନ ମୋ ବରଡ଼ା ଚାଞ୍ଚରୁ ବିଡ଼େ ।

ଗୋଧୂଳୀରେ ଉଡେ ପ୍ରୀତି ଅବିର ଯେ

ରଙ୍ଗଇ ଆତ୍ମାର ଆତ୍ମୀୟପଣେ

ପୋଖରୀ ତୁଠରେ ଲାଜୁଆ ଓଠରେ

ପଣତ ଧୁଅଇ ପୀରତି ରୁଣେ ।

ତୋ ଗାଁ ରାତିରେ ତାତି ଭରିଲି

କୋଳେ ମଥା ରଖି ତୋତେ ପାଇଲି

ଚନ୍ଦ୍ର ଜୋଛନାର ସିନ୍ଦୁର ଉଧାରି

ସିଁଥିରେ ବିଶ୍ୱାସ ନାଲି ଭରିଲି...।

ମୋ ପୀରତି ମଥା ହୋଇଲା ନତ

ମୁଣ୍ଡରେ ଗ୍ରାମଦେବୀର ସେ ହାତ

ତୋ ଗାଁ ଆକାଶେ ତାରା ହୋଇ ଫୁଟେ

ଯୁଗ ଯୁଗ ପାଇଁ ପ୍ରେମ ମହତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance