ତୁମ ଅଭିନବ ଖେଳ
ତୁମ ଅଭିନବ ଖେଳ
ମହାପ୍ରଭୁ, ଥିଲ, ଅଛ, ତୁମେ ଥିବ
ତୁମେ ଚିରନ୍ତନ ସତ୍ୟ ସନାତନ,
ତୁମ ପରି କିଏ ହେବ,
ମହାପ୍ରଭୁ ଥିଲ, ଅଛ, ତୁମେ ଥିବ ।
ଜେଜ ଥିଲେ ତୁମେ ଥିଲ,
ତାଙ୍କ କେବେଠୁ ହେଲାଣି କାଳ;
ତୁମେ ଥିଲ ବାବା ଥିଲେ,
ସିଏ ବି ତ ଚାଲିଗଲେ,
ମୁଁ ଏବେ ଅଛି ତୁମକୁ ଦେଖୁଛି
ହେଲାଣି ମୋ ଯିବା ବେଳ;
ତୁମେ ଅଛ କାହିଁ ଅନାଦି ଯୁଗରୁ
କିଏ, ବୁଝିବ ତୁମର ଭାବ,
ମହାପ୍ରଭୁ ଥିଲ, ଅଛ ତୁମେ ଥିବ ।
ଏତ ସଂସାରର ଖେଳ,
ତୁମେ ଲଗାଇଛ ମାୟାଧର;
ମିଛ ମାୟାର ସଂସାର,
ମାୟାରେ ସରବେ ଭୋଳ,
ଯୁଗ ଯୁଗାନ୍ତର ତୁମେ ଥିବ ଏହି
ଅଭିନୟ ମଣିଷର;
ଦେଖିବା ପାଇଁକି ଆହେ ଚକା ଆଖି
ଖେଳ, ତୁମର ଏ ଅଭିନବ,
ମହାପ୍ରଭୁ ତୁମେ ଅଛ ତୁମେ ଥିବ ।
ପୁଅ ନାତି ଯେତେ ଆମ,
ସବୁ ଦେଖିବେ ଏମିତି ତୁମ;
ଲୀଳା ଖେଳା ଯେତେ ସବୁ,
ଲଗାଇଛ ପରା ବିଭୁ,
ସେମାନେ ବି ଯିବେ ତୁମେତ ସେମିତି
ଥିବ ସିନା ମହାପ୍ରଭୁ;
ତୁମେ ନିରାମୟ ଶୂନ୍ୟ ଠୁଳ ବ୍ରହ୍ମ
ତୁମେ, ଆଶ୍ଚର୍ଯ୍ୟ ଓ ଅସମ୍ଭବ,
ମହାପ୍ରଭୁ ଥିଲ, ଅଛ, ତୁମେ ଥିବ ।
ଆଦି ଅନନ୍ତ ଯୁଗରୁ,
ଲୀଳା ଲଗାଇଛ ମହାମେରୁ;
ମରଣ ଶିଳ ସଂସାରୁ,
ପାରିକର ଏ ଜଂଜାଳୁ,
ତୁମ ଆଶ୍ରୟରେ ପ୍ରଫୁଲ୍ଲ କୁ ପାରି
କର ଏହି ଭବ ଜଳୁ;
ତୁମେ ପରା ନାଥ ଅଗତିର ଗତି
ଡାକେ, ବାରେ ସହାୟ ହୋଇବ,
ମହାପ୍ରଭୁ ଅଛ, ଥିଲ ତୁମେ ଥିବ ।