ତୁଳସୀ
ତୁଳସୀ
ତୁଳସୀ ଗୋ ତୁମେ ପରମ ବୈଷ୍ଣବୀ
ବିଷ୍ଣୁ ମାନସ ମୋହିନୀ
ବ୍ରହ୍ମଦାରୁ ହରି ନୀଳାଦ୍ରି କେଶରୀ
ଶ୍ରୀଅଙ୍ଗ ଶୀର୍ଷ ଶୋଭିନୀ ।
ତୁମ ପତ୍ର ପୁଷ୍ପ ଅତୀବ ପବିତ୍ର
ସାଧେ ଜଗତର ହିତ
ପ୍ରତି ହିନ୍ଦୁଙ୍କର ଘରେ ଘରେ ତୁମେ
ବୃକ୍ଷ ରୂପେ ସଂପୂଜିତ ।
ତୁମରି ଆସ୍ଥାନ ଚଉରା ଚଟାଣ
ପୁଣ୍ୟ ବୈକୁଣ୍ଠ ବୋଲାଏ
ତୁମରି ମୂଳରେ ଧ୍ୟାନ ଲଗାଇଲେ
ନୀଳଚକ୍ର ଦିଶୁଥାଏ ।
କମଳା ଭଗିନୀ କ୍ଷୀରାବ୍ଧି ନନ୍ଦିନୀ
ମନ୍ଥନୁ ହେଲ ଜନ୍ମିତ
ଶଙ୍ଖଚୂଡ଼ ପ୍ରିୟା ସତୀ ସ୍ବାଧୀ କାୟା
ବିଷ୍ଣୁ କଲେ କଳୁଷିତ ।
ପିତା ଧର୍ମଧ୍ଵଜ ମାତା ବେଦବତୀ
ଶିବେ ତୋଷି ତପୋବଳେ
ତୁମପରି କନ୍ୟା ବିଶ୍ଵବିମୋହନା
ପ୍ରାପ୍ତ ହେଲେ ପୁଣ୍ୟ ଫଳେ ।
ସ୍ୱାମୀ ଜଳନ୍ଧର ତୁମ ସତୀତ୍ୱର
ପ୍ରଭାବେ ହେଲା ଅଜେୟ
ମିଳି ଦେବଗଣେ ହାରି ଘୋର ରଣେ
ଶରଣ ମଣିଲେ ଶ୍ରେୟ ।
ଶ୍ରୀବିଷ୍ଣୁ ସହାୟ ଲୋଡ଼ୁ ଦେବରାୟ
ଛଦ୍ମେ ହରିଲେ ସତୀତ୍ୱ
ଦୈତ୍ୟ ମହାବଳ ହୋଇ ହୀନବଳ
ରଣେ ହେଲା ନିପତିତ ।
ତୁମ ଶାପେ ପରା ଶାଳଗ୍ରାମ ଶିଳା
ପାଲଟିଲେ ନାରାୟଣ
ତୁଳସୀ ରୂପରେ ଜନ୍ମିଲ ଭୂ-ପରେ
ହେଲ ବିଭୁ ବିଭୂଷଣ ।
ଚାରି ଯୁଗେ ସାର ଚାରି ନାମ ତୋର
ସତ୍ୟରେ ତୁ ସତ୍ୟବତୀ
ମାଳତୀ ତ୍ରେତାରେ ତ୍ରିପୁରା ଦ୍ୱାପରେ
କଳିଯୁଗେ ବୃନ୍ଦାବତୀ ।
ସର୍ବାଙ୍ଗ ଔଷଧି ଚଉଷଠି ବ୍ୟାଧି
ହର ତୁମେ ମାନବର
ତୁମ ପତ୍ର ପଡ଼ି ଶ୍ରୀମହାପ୍ରସାଦ
ପାଇଥାଏ ସମାଦର ।
କୃଷ୍ଣ ପ୍ରିୟା ତୁମେ ବହୁଳ ମଞ୍ଜରୀ
ଧଳା କଳା ସବୁଜରେ
ହୋଇ ଦେବଭୋଗ୍ୟ ହର ଦୁରାରୋଗ୍ୟ
ମଧୁ ବର୍ଷ ମରତରେ ।