ତୁଳସୀ ଓ ବିଛୁଆତି
ତୁଳସୀ ଓ ବିଛୁଆତି
ବିଛୁଆତି ଥରେ ଛାତିକୁ ଫୁଲେଇ
ତୁଳସୀକୁ କହେ ଚାହିଁ ,
ଭାରି ବଡପଣ ଦେଖେଇ ହେଉଛୁ
ଭଗବାନ ପ୍ରିୟ ପାଇଁ ।
ଛପିକି ରହିବି ତୁଳସୀ ବଣରେ
ସ୍ଵଭାବ ବଳେ ଜାଣିବେ ,
ଯିଏ ବି’ ଆସିବେ ତୋତେ ତୋଳିବାକୁ
ରାମ୍ପି କୁଣ୍ଡେଇ ହୋଇବେ ।
କୁଣ୍ଡେଇ କୁଣ୍ଡେଇ ନେଉଥିବି ପ୍ରାଣ
ତୋ’ ବଣ ରେ ଥିବା ଯାଏଁ ,
ବିଛୁଆତି ନାମ କିଭଳି ସ୍ଵଭାବ
ଦିନେ ଜାଣିବେ ସଭିଏଁ ।
ଭୟେ ତୋ ’ ବଣରେ ପଶିବେନି କେହି
କିଭଳି ପୂଜା ପାଇବୁ
ସେଦିନରେ ତୁହି ଜାଣିବୁ ତୁଳସୀ
କେମିତି ମଜା ପାଇବୁ ।
ସ୍ମିତ ହସି ଦେଇ ତୁଳସୀ କହିଲା
ସ୍ୱଭାବେ ତୁ’ ବିଛୁଆତି ,
ଜଗତରେ ତୋତେ ଜାଣନ୍ତି ସମସ୍ତେ
ଛାଡିବୁନି ତୋ ’ପ୍ରକୃତି ।
ଦୁଇ ପତରରୁ ଗଲ ଗଲ ହେଉ
ତୁ ’ ପରା ଗାଲୁଆ ଅତି ,
ଭଗବାନ ପୂଜା ତୁ ’ କାହୁଁ ଜାଣିବୁ
ଠିକ୍ ନାହିଁ ତୋର ମତି ।
ଦେହରେ ଲାଗି ତୁ କୁଣ୍ଡେଇ ହୋଇଲେ
ଘଷନ୍ତି ପତ୍ର ତୁଳସୀ ,
ଅବ୍ୟର୍ଥ ଔଷଧ ତୁଳସୀର ରସ
ପ୍ରଭୁଙ୍କ ସେବାରେ ଖୁସି ।
ସବୁ ଶୁଣି ସାରି ବିଛୁଆତି କହେ
ଦୁଇ ପତ୍ର ଠୁଁ ’ଆମର ,
ଯାହାର ଯେମନ୍ତ ସ୍ଵଭାବ ରହିବ
ପରଖି ନେବେ ଈଶ୍ୱର ।