ଟୋପାଏ ସିନ୍ଦୂର
ଟୋପାଏ ସିନ୍ଦୂର
ଟୋପାଏ ସିନ୍ଦୂର ବଦଳେଇ ଦିଏ
ନାରୀର ସେ ଭାଗ୍ୟ ରେଖା
ସାତ ଜନମର ସାଥି ହେବା ପାଇଁ
କପାଳରେ ହୁଏ ଲେଖା ।
ବାପ ଘର ଛାଡି ଶାଶୁଘର ଯାଏ
ମଥାରେ ଓଢଣୀ ଟାଣି
ପରକୁ ଆପଣା କରିଥାଏ ସିଏ
ସବୁ ହୃଦୟରୁ ଜିଣି ।
ପାଦରେ ଅଳତା ମଥାରେ ସିନ୍ଦୂର
ନାଇ ଗଢି ଥାଏ ସୁଖର ସଂସାର
ସିନ୍ଦୂର ଜୀବନ ତାର
ସାଥୀ ସାତ ଜନମର ।
ତାହା ପାଇଁ ନାରୀ ହୁଏ ସୁହାଗିନୀ
ସଧବାରେ ଗଣା ଯାଏ
ସେ ସିନ୍ଦୁର ପାଇଁ କେତେ ଓଷା ବ୍ରତ
ନାରୀଟିଏ କରି ଥାଏ ।
ଟୋପାଏ ସିନ୍ଦୂର ହୁଏ ତା ଜୀବନ
ତା ବିନା ଅଧୁରା ସିଏ
ଦରକାର ପଡିଲେ ସେ ସିନ୍ଦୁର ପାଇଁ
ଜୀବନ ସେ ଦେଇଥାଏ ।
ସିନ୍ଦୁର ବିନା ତା ନାହିଁ ଆନ ଗତି
ନାରୀ ଜୀବନର ସାର୍ଥକତା ଅତି
ଟୋପାଏ ସିନ୍ଦୂର ଗାର
ସାଥି ସାତ ଜନମର ।
ଏ ସିନ୍ଦୁର ପାଇଁ ସବୁ ଶୁଭ କାର୍ଯ୍ୟେ
ଯୋଗ ଦେଇ ଥାଏ ସିଏ
ଥରେ ଲିଭି ଗଲେ ମଥାର ସିନ୍ଦୂର
ହୀନି କପାଳି ସେ ହୁଏ ।
ଏ ଦୁନିଆ ତାକୁ କରଇ ବିଦ୍ରୁପ
ଦେଖଇ ଛୋଟ ନଜର
ଆଖିର ଲୁହକୁ ସାଥି କରି ଚାଲେ
ହୁଏନି ସିଏ କାହାର ?
ସବୁ ଖୁସି ତାର ଧୋଇ ହେଇଯାଏ
ଜଳି ଜଳି ନିତି ବଞ୍ଚି ଥାଏ ସିଏ
ଜୀବନ ହୁଏ ଅନ୍ଧାର ।
ଲିଭିଲେ ଟୋପେ ସିନ୍ଦୂର ।
ସହି ପାରେ ନାହିଁ ନାରୀଟିଏ କେବେ
ସିନ୍ଦୂରର ଅପମାନ
ସେ ସିନ୍ଦୂର ପାଇଁ ଦେଇ ଦିଏ ପଛେ
ନିଜ ଖୁସି ବଳିଦାନ ।
ସବୁବେଳେ ସିଏ ଟେକ ରଖି ଥାଏ
ମଥା ସିନ୍ଦୁରକୁ ତାର
ସେ ସିନ୍ଦୂର ପାଇଁ ହସି ହସି ସିଏ
ପିଇ ଥାଏ ଯେ ଜହର ।
ଦୁନିଆ ଆଗରେ କରେ ଏ ଲଢେଇ
ମଥା ସିନ୍ଦୂରକୁ ଦିଏ ସେ ଜିତେଇ
ନିଜେ ନିନ୍ଦା ସହି ଘୋର ।
ଦିଏନା କଳଙ୍କ ଗାର ।
ପତିବ୍ରତା ନାରୀ ବୁଝି ଥାଏ ତାର
ସିନ୍ଦୂର ମହତ୍ତ୍ଵ କେତେ
ଟୋପାଏ ସିନ୍ଦୂର ପାଇଁ ନିଜକୁ ସେ
ବିକି ଦିଏ ଅନ୍ୟ ହାତେ ।
ହରାଏ ନାହିଁ ସେ ମଥାର ସିନ୍ଦୂର
ନିଜେ ପଛେ ହାରି ଯାଏ
ଶେଷ ସମୟରେ ମଥାରେ ତାହାର
ସିନ୍ଦୂର ସେ ନାଇ ଥାଏ ।
ମଶାଣୀ ଜୁଇରେ ଯାଏ ପଛେ ଶୋଇ
ସିନ୍ଦୂରଠୁ କେବେ ନା ଥାଏ ଦୂରେଇ
ସିନ୍ଦୂର ସୌଭାଗ୍ଯ ତାର ।
ଥାଏ ସିନ୍ଥିରେ ତାହାର ।
ମଥାରେ ନାଇ ସେ ସିନ୍ଦୂର ଟୋପାକୁ
ମଶାଣୀକୁ ଚାଲି ଯାଏ
ଟୋପାଏ ସିନ୍ଦୂର ପାଇଁ ନାରୀ ଟିଏ
ଯମ ସଙ୍ଗେ ଲଢି ଥାଏ ।
ସିନ୍ଦୂର ତା ପାଇଁ ନୁହେଁ ଖେଳ ଘର
ଜୀବନ ସଳିତା ଟିଏ
ଏ ସିନ୍ଦୂର ପାଇଁ ହସି ହସି ସିଏ
ଜୀବନକୁ ଦେଇ ଥାଏ ।
ନିଜଠୁ ଅଧିକ ତାକୁ ଭଲ ପାଏ
ହାତ ଧରି ତାର ସାଥେ ଚାଲି ଥାଏ
ନାଇ ଟୋପାଏ ସିନ୍ଦୂର ।
ସିନ୍ଦୂର ଜୀବନ ତାର ।
