Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarananda Nayak

Abstract Others

4  

Amarananda Nayak

Abstract Others

ତଥାପି

ତଥାପି

1 min
373



ଝଞ୍ଜା ଆସୁଛି,ଝଡ଼ ବି  ଆସୁଛି, ଆସୁଛି ତ ଆସୁ! 

ଚାରିପାଖେ,ଘୋଟିଯାଉ,ପ୍ରଳୟର ଅଣଚାଶ,

     ଚାରି ଖଣ୍ଡ ମେଘ ଆଣୁ ଜଳ ପ୍ରଳୟ,

ନିଆଁର ରଡ଼ରେ ପାଦ ରଖି, ଜଳନ୍ତା ସୂର୍ଯ୍ୟର ଅନଳ ମୁଣ୍ଡେଇ,

      ଆପଣାକୁ ଦଗ୍ଧିଭୂତ କରିବାକୁ ହେବ।

       ତଥାପି ଜିଇଁବାକୁ ହେବ ।।

ଶୋକରେ ,ସୁଖରେ,ଝଡ଼ର ଇଗଲ ରେ,

ଜନନୀର ଅମଳିନ,ଅମୃତ ତ୍ୟାଗରେ,

ରଙ୍ଗୀନ ରଙ୍ଗଣୀର,ମେଳଣ ପଡ଼ିଆରେ,

ନିଃସଙ୍ଗ ,ଧୂସର ଧୁମ୍ରାଭ ଇଲାକାରେ,

ଅପବାଦରେ ସିକ୍ତ କଳା ତିଳକରେ,

ସମ୍ମାନର ସମାହୃତ ମଧୁର ସମ୍ଭାଷଣରେ,

ମୁଣ୍ଡ ଉଠାଇ, କିମ୍ବା ତଳକୁ ନୁଆଁଇ,

ଛାତିକୁ ପଥର କରି ,ଯନ୍ତ୍ରଣା ସହିବାକୁ ହେବ।

    ତଥାପି ଜିଇଁବାକୁ ହେବ ।।

ଅମା ଅନ୍ଧକାରକୁ,କିମ୍ବା ରାକା ଆକାଶକୁ,

ଝରଣାର କଳନାଦ ,କିବା ସ୍ରୋତର ଗର୍ଜନକୁ,

ଘୋଡ଼େଇ ପ୍ରେମର ପଣତ ,ଅବା ଘୃଣାର ଚାଦରକୁ,

ସ୍ୱାଗତ କରି,ପରାଜୟର ଅବାଞ୍ଛିତ ଗ୍ଳାନିକୁ,

ଗଳେ ଲଗେଇ,ବିଜୟର ଅପୁରନ୍ତ ଉଛ୍ଛ୍ୱାସକୁ,

ତତଲା ରକ୍ତକୁ ବାଣ୍ଟି,ମାଂସର ଫୁଲ ,

ଫୁଟେଇବାକୁ ହେବ।

    ତେଣୁ ଜିଇଁବାକୁ ହେବ ।।

ଆଗରେ ସର୍ପିଳ,ଶାୟିତ ଅଗ୍ନିପଥେ,

ଚାଲିବାକୁ ହେବ,ତ୍ୱରିତ କ୍ଷତାକ୍ତ ପାଦେ,

ଉପସଂହାରର,ଉପକଥାର ଅନିଶ୍ଚିତ ଫଳ ପ୍ରାପ୍ତେ,

ସଫଳ,ବିଫଳ,ନିନାଦିତ,ବିଷାଦିତ ମନୋରଥେ,

ବିଷ,ପିୟୁଷ ଜୀବନ ପାତ୍ରୁ ନିଗଡ଼ା ରସର ସ୍ବାଦେ,

ଆଶା ରହିତ ପ୍ରାପ୍ତିରେ,ତ୍ୟାଗର ଅମୃତ ତୃପ୍ତିରେ,

ଝରଝର,ଅବିଶ୍ରାନ୍ତେ ଝରିବାକୁ ହେବ।

   ତଥାପି ଜିଇଁବାକୁ ହେବ ।।

କଣ୍ଟକିତ ଅବା ପୁଷ୍ପିତ,ସୁସଜ୍ଜିତ ଜୀବନ,

ଫଗୁଣର ସାତରଙ୍ଗେ ପ୍ରକ୍ଷାଳିତ,ପ୍ରତାରିତ ଯୌବନ,

ମଉନେ କଳରବେ ମୁଖରିତ ମଧୁବନ,ନିଧୂବନ ସପନ,

କାହାର ଆକର୍ଷିତ କ୍ଷେତ୍ର, କର୍ଷଣ ପାଇଁ ଅଜାଡ଼ି ତନୁମନ,

ଶୀତଳେ ଉଷ୍ଣତାର ସ୍ପର୍ଶ,ଶୀତଳ ଛୁଆଁରେ ନିର୍ବାପିତ ଜ୍ୱଳନ,

ମୌନାବତୀ ରାତିର,ପ୍ରୀତି,ଇତିକରି,ଖୋଲି ନିବିଡ଼ ବନ୍ଧନ,

ଅର୍ଦ୍ଧ ଘୃତ ପ୍ରଦୀପର,ମଳିନ ଶିଖାସମ,ଜଳିବାକୁ ହେବ।

    ତଥାପି ଜିଇଁବାକୁ ହେବ ।।

ରସ,ରାସ,ହସ,ରୋଷ ସାଥେ,ଖେଳିଛି ଜୀବନ ପଡ଼ିଆର,

'ମୃତ୍ୟୁ' ର ଆୟୁଷ ବା କେତେ?ବାକି କଣ ରହିଗଲା ଜୀବନର।

'ମୃତ୍ୟୁ'ଯେମିତି ଆସୁଛି ଆସୁ! ଏକା,ଅବା ଧରି ପଟୁଆର,

ଲୁଚିଛପି, ଆକ୍ରମଣେ କରେ ଘୃଣା,ସମ୍ମୁଖେ କର ପ୍ରହାର,

କାହିଁକି ଡରିବି ଯେ ତୋତେ?ସାକ୍ଷୀ ରହିବୁ ତୁ ମୋ ପ୍ରଚଣ୍ଡ ଶକ୍ତିର,

ଝ୍ଞ୍ଜା ଆସିଛି, ଝଡ଼ ଆସିଛି ବହୁବାର,ମୃତ୍ୟୁ ଆସିବ ଏକବାର,

ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ହୋଇଛି, ତିକ୍ତ ମଧୁର ସୁରମୟୀ,

ବିରହ ଓ ମିଳନର ବଂଶୀ ସ୍ୱର ,ଜୀବନେ ଏମିତି ଶୁଭିବ।

    ଏମିତି ଜିଇଁବାକୁ ହେବ ।।


Rate this content
Log in

Similar oriya poem from Abstract