ତଥାପି ମୋ ଗାଁ ହସୁଛି
ତଥାପି ମୋ ଗାଁ ହସୁଛି
ଆଉ ଫୁଟୁନାହିଁ କଦମ୍ବ କି କଇଁ
ପୁଷ୍କରିଣୀ ଅଛି ଖାଲି
ବାସୁ ନାହିଁ ଆଉ ସେ ଧୂଳିର ବାସ୍ନା
କଂକ୍ରିଟ ରାସ୍ତା ଖାଲି ||
ଚୂଲି ପାଖେ ଆଉ ମେଳ ହୋଇଣ ତ
ବସୁ ନାହାଁନ୍ତି କେହି
ବୁଢ଼ୀ ମାଆ ଗପ ଶୁଭୁ ନାହିଁ କାନେ
ଅତୀତରେ ଗଲା ରହି ||
କୃଷକ ଭାଇ ହାତେ ଲଙ୍ଗଳ ନାହିଁତ
ନା ଅଛି ବଳଦ ସାଥେ
ଗାଁର ନକ୍ସା ଏବେ ବଦଳି ଗଲାଣି
ସମୟର ଗତି ଚକ୍ରେ ||
ସନ୍ଧ୍ୟା ସମୟେ ଦେଖିବାକୁ ମିଳେନି
ଘରେ ଘରେ ବତୀ ଡିବା
ସମୟେ ସାଥିରେ ହଜିକି ଗଲାଣି
ଆଧୁନିକ ସତେ ଅବା ||
ଏ ଆଖି ଆଉ ଦେଖିବାକୁ ପାଉନି
ରିକ୍ସା କି ଶଗଡ଼ ଗାଡି
ମୋ ଗାଆଁ ଏବେ ସହର ଲାଗୁଛି
ହସୁଛି ଏ ଘର ବାଡ଼ି ||
ଘରେ ଘରେ ଆଉ ଢ଼ିଙ୍କି ଦିଶୁନାହିଁ
ଝୋଟି କାନ୍ଥେ ଦିଶୁନାହିଁ
ଗାଈ ହମ୍ବା ରଡି କାନେ ଶୁଭୁନାହିଁ
ଗାଈ ଗୋଠ ହଜିଲାଣି ||
ରୂପ ରଙ୍ଗ ସତେ ବଦଳି ଯାଇଛି
ତଥାପି ଏକତା ଅଛି
କର୍ପୁର ଉଡିଣ କନା ପଡି ଅଛି
ତଥାପି ମୋ ଗାଁ ହସୁଛି ||
